Russia Imports Gasoline from India for the First Time Ever/ରୁଷିଆରେ ଗମ୍ଭୀର ତେଲ ସଙ୍କଟ: ସାହାଯ୍ୟ କଲା ଭାରତ!

ଐତିହାସିକ ବିପର୍ଯ୍ୟୟ: ୟୁକ୍ରେନ ଆକ୍ରମଣ ଯୋଗୁଁ ତେଲ ସଙ୍କଟ, ଭାରତରୁ ପେଟ୍ରୋଲ ଆମଦାନୀ କରୁଛି ରାଷିଆ
ନୂଆଦିଲ୍ଲୀ / ମସ୍କୋ:ୟୁକ୍ରେନର ଲଗାତାର ଡ୍ରୋନ୍ ଆକ୍ରମଣ ଯୋଗୁଁ ବିଶ୍ୱର ଅନ୍ୟତମ ବୃହତ୍ ତୈଳ ଉତ୍ପାଦନକାରୀ ଦେଶ ରୁଷିଆରେ ବଡ଼ ଧରଣର ଇନ୍ଧନ ସଙ୍କଟ ଦେଖାଦେଇଛି। ନିଜର ଶୋଧନାଗାର (Refineries) ଗୁଡ଼ିକ କ୍ଷତିଗ୍ରସ୍ତ ହେବା ପରେ, ମସ୍କୋ ଏବେ ନିଜର ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ପ୍ରଥମ ଥର ପାଇଁ ଭାରତରୁ ପେଟ୍ରୋଲ / ଗ୍ୟାସୋଲିନ୍ ଆମଦାନୀ କରିବା ଆରମ୍ଭ କରିଛି।ସାଧାରଣତଃ ରୁଷିଆ ଅନ୍ୟ ଦେଶକୁ କଚ୍ଛା ତେଲ ଓ ଇନ୍ଧନ ରପ୍ତାନି କରିଥାଏ, କିନ୍ତୁ ଏହି ନୂତନ ପରିସ୍ଥିତି ଶକ୍ତି ବାଣିଜ୍ୟ କ୍ଷେତ୍ରରେ ଏକ ଐତିହାସିକ ବଦଳ ବୋଲି ବିବେଚନା କରାଯାଉଛି।

କାହିଁକି ସୃଷ୍ଟି ହେଲା ଏହି ସଙ୍କଟ?

ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ରୁଷିଆର ବହୁ ଗୁରୁତ୍ୱପୂର୍ଣ୍ଣ ତୈଳ ଶୋଧନାଗାରକୁ ପକ୍ଷାଘାତ କରିଦେଇଛି।ଜୁଲାଇ ମାସରେ ରୁଷିଆର କଚ୍ଛା ତେଲ ଶୋଧନ କ୍ଷମତା ଦୈନିକ ୩୬ ଲକ୍ଷ ବ୍ୟାରେଲକୁ ଖସି ଆସିଛି, ଯାହା ସାଧାରଣ ସ୍ତରଠାରୁ ପ୍ରାୟ ଏକ-ତୃତୀୟାଂଶ କମ୍।ଘରୋଇ ଗ୍ରାହକ ଓ ସେନା ପାଇଁ ଇନ୍ଧନ ବଞ୍ଚାଇବାକୁ ମସ୍କୋ ନିଜର ଗ୍ୟାସୋଲିନ୍ ଏବଂ ଡିଜେଲ ରପ୍ତାନି ଉପରେ କଠୋର କଟକଣା ଲଗାଇଛି।
ପ୍ରଥମେ ବେଲାରୁଷ ଓ କାଜାଖସ୍ତାନ ଭଳି ପଡ଼ୋଶୀ ଦେଶରୁ ଇନ୍ଧନ ଅଣାଯାଉଥିଲେ ବି ସଙ୍କଟ ଗଭୀର ହେବାରୁ ରୁଷିଆକୁ ଭାରତ ଭଳି ଦୂର ଦେଶର ଶରଣାପନ୍ନ ହେବାକୁ ପଡ଼ିଛି।

କିପରି ହେଉଛି ଭାରତରୁ ପେଟ୍ରୋଲ ପରିବହନ?

ଶକ୍ତି ବାଣିଜ୍ୟ ବିଶ୍ଳେଷଣ ସଂସ୍ଥା Kpler ର ତଥ୍ୟ ଅନୁସାରେ, ଅଗଷ୍ଟ ୫ ତାରିଖରେ ଭାରତରୁ ପ୍ରଥମ ଇନ୍ଧନ ଚାଲାଣ ରୁଷିଆ ବନ୍ଦରରେ ପହଞ୍ଚିଛି। ୱାଦିନାର୍ (Vadinar) ସ୍ଥିତ ‘ନୟାରା ଏନର୍ଜି’ (Nayara Energy Ltd.) ରୁ ଏହି ପେଟ୍ରୋଲ ଯୋଗାଯାଉଛି। ଏହି କମ୍ପାନୀରେ ରୁଷିଆର ସରକାରୀ ତୈଳ କମ୍ପାନୀ ‘ରୋସନେଫ୍ଟ’ (Rosneft PJSC) ର ପ୍ରମୁଖ ଅଂଶଧନ ରହିଛି।ଭାରତରୁ ତେଲ ବୋଝେଇ ଜାହାଜ ମିଶରର (Egypt) ଦାମିଏଟା (Damietta) ବନ୍ଦର ନିକଟରେ ଅନ୍ୟ ଏକ ଜାହାଜକୁ ପେଟ୍ରୋଲ ହସ୍ତାନ୍ତର କରୁଛନ୍ତି।ଜୁନ୍ ମାସ ମଝିରେ ‘ସାଇକ୍ଲୋନ୍’ (Cyclone) ନାମକ ଜାହାଜ ପ୍ରାୟ ୪୨,୦୦୦ ଟନ୍ ପେଟ୍ରୋଲ ଧରି ଭାରତରୁ ବାହାରିଥିଲା। ପରେ ଏହାକୁ ‘ଗାର୍ନେଟ୍’ (Garnet) ନାମକ ଅନ୍ୟ ଏକ ଜାହାଜକୁ ସମୁଦ୍ର ମଝିରେ ଦିଆଯାଇ ରୁଷିଆ ପଠାଯାଇଥିଲା।
ଏହା ବିଶ୍ୱ ଶକ୍ତି ବଜାରରେ ଏକ ବଡ଼ ପରିବର୍ତ୍ତନ। ଯେଉଁ ଭାରତ ରୁଷିଆଠାରୁ ଶସ୍ତାରେ କଚ୍ଛା ତେଲ କିଣି ଶୋଧନ କରୁଥିଲା, ଏବେ ସେହି ଶୋଧିତ ପେଟ୍ରୋଲକୁ ପୁଣି ରୁଷିଆକୁ ବିକ୍ରି କରୁଛି। ହଜାର ହଜାର ମାଇଲ୍ ଦୂରରୁ ଏପରି ଜରୁରୀକାଳୀନ ଇନ୍ଧନ ଆମଦାନୀ କରିବା ଦର୍ଶାଉଛି ଯେ, ୟୁକ୍ରେନ୍ ଆକ୍ରମଣ ଯୋଗୁଁ ରୁଷିଆର ଆଭ୍ୟନ୍ତରୀଣ ଇନ୍ଧନ ଭିତ୍ତିଭୂମି କେତେ ଗଭୀର ଭାବେ ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *