ଓଣମ୍ରେ ନିଆରା ପଦକ୍ଷେପ: କେରଳ ମନ୍ଦିରକୁ ଯାନ୍ତ୍ରିକ ହାତୀ ଉପହାର ଦେଲେ ଅଭିନେତ୍ରୀ ରିଚା ଚଡ୍ଡା
ବଲିଉଡ୍ ଅଭିନେତ୍ରୀ ରିଚା ଚଡ୍ଡା ଏଥର ଓଣମ୍ ପର୍ବକୁ ଏକ ଭିନ୍ନ ଓ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ନିଜର ଛୋଟ ଝିଅ ଜୁନେରାଙ୍କ ସହ କେରଳର ପ୍ରସିଦ୍ଧ ‘ଗୁରୁପୁରମ୍ ଶ୍ରୀ ମହାବିଷ୍ଣୁ ମନ୍ଦିର’ ପରିଦର୍ଶନ କରିବା ସହ ମନ୍ଦିରକୁ ଏକ ବିଶାଳ ଯାନ୍ତ୍ରିକ (ମେକାନିକାଲ୍) ହାତୀ ଉପହାର ଦେଇଛନ୍ତି। PETA ଇଣ୍ଡିଆ ସହଯୋଗରେ ଦିଆଯାଇଥିବା ଏହି ଯାନ୍ତ୍ରିକ ହାତୀର ନାମ ‘ଗୁରୁପୁରମ୍ ଅର୍ଜୁନ’ ରଖାଯାଇଛି।
ପରମ୍ପରାକୁ ବଜାୟ ରଖିବା ସହ ପଶୁପକ୍ଷୀଙ୍କ ପ୍ରତି ଦୟାଭାବ ଦେଖାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି, ଯେପରି ମନ୍ଦିର ପୂଜାବିଧିରେ ଜୀବନ୍ତ ହାତୀଙ୍କୁ କଷ୍ଟ ନଦେଇ ଯାନ୍ତ୍ରିକ ହାତୀର ବ୍ୟବହାର କରାଯାଇପାରିବ।
ଉନ୍ମୋଚନ ଉତ୍ସବରେ ରିଚା ଓ ତାଙ୍କ ଝିଅ ପାରମ୍ପରିକ କେରଳ ପୋଷାକରେ ନଜର ଆସିଥିଲେ। ଏହି ଅବସରରେ କେରଳର ପ୍ରସିଦ୍ଧ ‘ଚେଣ୍ଡା ମେଲମ୍’ ଢୋଲ ବାଦନ ଓ ‘ଥିରୁଭାଥିରା’ ନୃତ୍ୟର ଆୟୋଜନ କରାଯାଇ ପର୍ବର ମାହୋଲକୁ ଆହୁରି ଉତ୍ସବମୁଖର କରାଯାଇଥିଲା।
ଏହି ବିଶେଷ ମୁହୂର୍ତ୍ତ ବିଷୟରେ ପ୍ରତିକ୍ରିୟା ଦେଇ ରିଚା କହିଛନ୍ତି, “ଆମର ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଟେକ୍ନୋଲୋଜିର ସାହାଯ୍ୟରେ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଦେଖାଇବା ଅତ୍ୟନ୍ତ ଆବଶ୍ୟକ। ହାତୀମାନେ ମୁକ୍ତ ଆକାଶ ତଳେ ଜଙ୍ଗଲରେ ରହିବା ଉଚିତ୍। ମନ୍ଦିର କର୍ତ୍ତୃପକ୍ଷ ଏହି ଉପହାରକୁ ଗ୍ରହଣ କରିଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ।”
ଏହି ଉତ୍ସବରେ ମନ୍ଦିର ସଭାପତି କୁନ୍ହିରାମନ୍ ଆୟାଙ୍ଗଭ, ସାଧାରଣ ସମ୍ପାଦକ କେ.କେ. ରାମ, କୋଷାଧ୍ୟକ୍ଷ ରାଜୀବନ, ୨୦୨୬ କେରଳ ରାଜ୍ୟ କୃଷି ପୁରସ୍କାର ପ୍ରାପ୍ତ କେ. ସାବିତ୍ରୀ ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

