ଶିକ୍ଷା ଓ ଚାକିରି ଦୁର୍ନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ବାବା ରାମଦେବଙ୍କ ଚେତାବନୀ; କହିଲେ- ‘ଘୋଟାଲା ବନ୍ଦ ନହେଲେ ପୁଣି ହେବ ଆନ୍ଦୋଳନ’
ହରିଦ୍ୱାର:ପରୀକ୍ଷା ପରିଚାଳନାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଏବଂ ସରକାରୀ ଚାକିରି ନିଯୁକ୍ତିରେ ଚାଲିଥିବା ବ୍ୟାପକ ଦୁର୍ନୀତିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଯୋଗଗୁରୁ ବାବା ରାମଦେବ। ପତଞ୍ଜଳି ଯୋଗପୀଠରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସରକାର ଯଦି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଚାଲିଥିବା ଏହି ‘ଘୋଟାଲା’ (ସ୍କାମ୍) କୁ ତୁରନ୍ତ ବନ୍ଦ ନକରନ୍ତି, ତେବେ ଛାତ୍ର ଆନ୍ଦୋଳନ ଆହୁରି ତୀବ୍ର ହେବ। ଆବଶ୍ୟକ ପଡ଼ିଲେ ସେ ନିଜେ ମଧ୍ୟ ପୁଣି ଥରେ ରାଜପଥକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।ସାରା ଦେଶରେ ଛାତ୍ରଛାତ୍ରୀମାନେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ବିଷୟରେ ଉଲ୍ଲେଖ କରି ବାବା ରାମଦେବ କହିଛନ୍ତି ଯେ, ଆଜି ବି ଦେଶର ବହୁ ସ୍କୁଲ ଓ କଲେଜରେ ଶିକ୍ଷକ, ବିଜୁଳି, ପାନୀୟ ଜଳ ଏବଂ ଶୌଚାଳୟ ଭଳି ମୌଳିକ ସୁବିଧା ନାହିଁ। କେଉଁଠି ପରୀକ୍ଷାରେ କପି ଚାଲିଛି ତ ଆଉ କେଉଁଠି ପ୍ରଶ୍ନପତ୍ର ଲିକ୍ ହେଉଛି
ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଗମ୍ଭୀର ଅଭିଯୋଗ ଆଣି ସେ କହିଛନ୍ତି, “ସରକାରୀ ଚାକିରି ଇଣ୍ଟରଭ୍ୟୁରେ ୯୯ ପ୍ରତିଶତ ଦୁର୍ନୀତି ଚାଲିଛି। ଜାତି, ଧର୍ମ ଏବଂ ଅର୍ଥ ବଳରେ ନିଯୁକ୍ତି ଦିଆଯାଉଛି। ଗୋଟିଏ ପଟେ ଆମେ ‘ସତ୍ୟମେବ ଜୟତେ’ ର ନାରା ଦେଉଛୁ, ଅନ୍ୟପଟେ ୧ କୋଟି ଟଙ୍କାର ଲାଞ୍ଚ ନେଇ ନିଯୁକ୍ତି ହେଉଛି। ଏହା ସମ୍ବିଧାନ ବିରୋଧୀ ଏବଂ ଅତ୍ୟନ୍ତ ନିନ୍ଦନୀୟ।”
ନିଜର ୨୦୧୧ ରାମଲୀଳା ମୈଦାନ ଆନ୍ଦୋଳନକୁ ମନେ ପକାଇ ବାବା ରାମଦେବ କହିଛନ୍ତି, “ମୁଁ ଆନ୍ଦୋଳନ ନାମରେ ଅରାଜକତାକୁ ସମର୍ଥନ କରେନାହିଁ, କିନ୍ତୁ ଦେଶରେ ବ୍ୟାପକ ସ୍କାମ୍ ଚାଲିଛି। ସରକାର ଏହାକୁ ତୁରନ୍ତ ସୁଧାରନ୍ତୁ, ନଚେତ୍ ବାବା ରାମଦେବଙ୍କୁ ପୁଣି ଥରେ ଆନ୍ଦୋଳନ କରିବାକୁ ପଡ଼ିବ।”
ସେ ଦେଶର ‘Gen Z’ ଓ ଯୁବପିଢ଼ିଙ୍କୁ ହିଂସା ଏବଂ ବେଆଇନ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଯୁବକମାନେ ରାଜପଥରେ ଅରାଜକତା ସୃଷ୍ଟି ନକରି, ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ପରିସର ମଧ୍ୟରେ ରହି ନିଜର ଅଧିକାର ପାଇଁ ଲଢ଼େଇ କରିବା ଉଚିତ୍ ବୋଲି ସେ କହିଛନ୍ତି।
ସମାଜରେ ବଢ଼ୁଥିବା ଜାତିଗତ ଓ ଧାର୍ମିକ ବିଦ୍ୱେଷକୁ ନେଇ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ, ହିନ୍ଦୁ, ମୁସଲିମ୍, ସିଖ୍, ଖ୍ରୀଷ୍ଟିଆନ୍ ଏବଂ ବିଭିନ୍ନ ଜାତି-ସମ୍ପ୍ରଦାୟର ଲୋକେ ଆଜି ପରସ୍ପର ବିରୋଧରେ ଛିଡ଼ା ହୋଇଛନ୍ତି। ସ୍ୱାଧୀନତା ଦିବସର ଏହି ଅବସରରେ ‘ଭାଗ କର ଓ ଶାସନ କର’ ନୀତିକୁ ସମ୍ପୂର୍ଣ୍ଣ ଭାବେ ଶେଷ କରି ଦେଶକୁ ଏକଜୁଟ କରିବା ପାଇଁ ସେ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଛନ୍ତି।



