ରାହୁଲ ଗାନ୍ଧୀଙ୍କ ବିକ୍ଷୋଭ ପରେ ଚେତିଲା ଦିଲ୍ଲୀ ପୋଲିସ: ଛାତ୍ର ଆନ୍ଦୋଳନରେ ପେଲେଟ୍ ମାଡ଼ ଅଭିଯୋଗରେ ଏଫଆଇଆର୍ ରୁଜୁ
ନୂଆଦିଲ୍ଲୀ:ଗତ ଜୁଲାଇ 20 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ସଂସଦ ଚାଲୋ’ ଛାତ୍ର ଆନ୍ଦୋଳନ ସମୟରେ ଜଣେ ୧୯ ବର୍ଷୀୟ ଯୁବକ ପେଲେଟ୍ ମାଡ଼ରେ ଗୁରୁତର ଆହତ ହେବା ଘଟଣାରେ ଅନ୍ତତଃ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ୍ ସମ୍ମୁଖରେ ଧାରଣାରେ ବସିବା ପରେ ପୋଲିସ ପକ୍ଷରୁ ଏହି ଏଫଆଇଆର୍ (FIR) ରୁଜୁ କରାଯାଇଛି ।
ସୂଚନା ଅନୁଯାୟୀ, ଜୁଲାଇ 20 ତାରିଖରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ୧୯ ବର୍ଷୀୟ ସାହିଲ ଲୋଚାବ ନାମକ ଜଣେ ଯୁବକଙ୍କ ଶରୀରରେ ପେଲେଟ୍ ବାଜିଥିଲା । ଏହି କାରଣରୁ ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଶରୀରର ବିଭିନ୍ନ ଅଂଶରେ ଧାତବ ପେଲେଟ୍ ରହିଯାଇଥିବା ନେଇ ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି ।
ଏହି ଘଟଣାକୁ ନେଇ ଦୀର୍ଘ ଦିନ ହେବ ପୋଲିସ କୌଣସି ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଥିଲା । ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ନିଜେ ଆହତ ସାହିଲଙ୍କୁ ସାଙ୍ଗରେ ଧରି ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଏଆଇଆଇଏମଏସ (AIIMS) ର ମେଡିକାଲ ରିପୋର୍ଟ ଦେଖାଇବା ସହ ଏଫଆଇଆର୍ ରୁଜୁ କରିବାକୁ ଦାବି କରିଥିଲେ । ପୋଲିସ ପ୍ରଥମେ ମାମଲା ରୁଜୁ କରିବାକୁ ମନା କରିବାରୁ ରାହୁଲ ଗାନ୍ଧୀ ପୋଲିସ ଷ୍ଟେସନ୍ ବାହାରେ ଧାରଣାରେ ବସିପଡ଼ିଥିଲେ ।
ରାହୁଲ ଗାନ୍ଧୀଙ୍କ ଏହି କଠୋର ଆଭିମୁଖ୍ୟ ଏବଂ ବୃଦ୍ଧି ପାଉଥିବା ରାଜନୈତିକ ଚାପ ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଶେଷରେ ସାହିଲଙ୍କ ଅଭିଯୋଗ ଆଧାରରେ ଏଫଆଇଆର୍ ରୁଜୁ କରାଯାଇଛି । ଏହି ମାମଲାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି, ଯାହା ଦ୍ୱାରା ଘଟଣାର ସତ୍ୟାସତ୍ୟ ଏବଂ ପେଲେଟ୍ ମାଡ଼ ପଛର ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇପାରିବ ।
ଏହି ଘଟଣା ପରେ ଛାତ୍ର ସୁରକ୍ଷା ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପୁଣିଥରେ ଦେଶବ୍ୟାପୀ ଚର୍ଚ୍ଚା ଓ ଜବାବଦିହିତାର ଦାବି ଜୋର ଧରିଛି ।

