ପୋଲିସ ଶହୀଦ ସ୍ମୃତି ଦିବସ: ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲେ ଡିଜିପି
ଭୁବନେଶ୍ୱର:
ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ଓ ମାତୃଭୂମିର ସୁରକ୍ଷା ପାଇଁ ଜୀବନ ଦେଇଥିବା ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ଶହୀଦଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
କାର୍ଯ୍ୟକ୍ରମରେ ପୋଲିସ ବାହିନୀ ପକ୍ଷରୁ ଶୋକଶସ୍ତ୍ର ପ୍ରଦର୍ଶନ ସହ ଦୁଇ ମିନିଟ୍ର ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଡିଜିପି କହିଥିଲେ ଯେ, ୧୯୫୯ ଅକ୍ଟୋବର ୨୧ରେ ଲଦାଖରେ ଚୀନ୍ ସୈନ୍ୟଙ୍କ ସହ ଲଢ଼େଇ କରି ୧୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ। ସେହି ବୀରମାନଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।
ଚଳିତ ବର୍ଷ କର୍ତ୍ତବ୍ୟରତ ଅବସ୍ଥାରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ବଳର ୧୫୪ ଜଣ ଯବାନ ପ୍ରାଣବଳି ଦେଇଛନ୍ତି। ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନରେ ଯବାନଙ୍କ ତ୍ୟାଗ ଓ ସାହସ ଯୋଗୁଁ ହିଁ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିଛି ବୋଲି ଡିଜିପି ପ୍ରକାଶ କରିଛନ୍ତି। ସେହିପରି ଆଜିର ସମୟରେ ଆତଙ୍କବାଦ, ସାଇବର ଅପରାଧ, ନିଶା କାରବାର ଓ ଆଇନଶୃଙ୍ଖଳା ଭଳି ନୂଆ ଆହ୍ୱାନର ମୁକାବିଲା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା ଏବଂ ଆଧୁନିକ ଜ୍ଞାନକୌଶଳ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମ ଅତିରିକ୍ତ ଡିଜିପି ପ୍ରତୀକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଭିଜିଲାନ୍ସ ନିର୍ଦ୍ଦେଶକ ୟଶବନ୍ତ କୁମାର ଜେଠୱା, ଆଧୁନିକୀକରଣ ଏଡିଜି ଏସ. କେ. ପ୍ରିୟଦର୍ଶୀ, ଏସଏଫଏସଏଲ ନିର୍ଦ୍ଦେଶକ ଡ଼ ସନ୍ତୋଷ ବାଲା, ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରାଙ୍କ ସମେତ ପୋଲିସ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।



