ରାଜ୍ୟସଭାରେ ବଢ଼ିବ ବିଜେପିର ଶକ୍ତି: ମୌସୁମୀ ଅଧିବେଶନ ପୂର୍ବରୁ ଏନଡିଏ କ୍ୟାମ୍ପରେ ଉତ୍ସାହ
ନୂଆଦିଲ୍ଲୀ:ଆଗାମୀ ଗୁରୁତ୍ୱପୂର୍ଣ୍ଣ ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ରରେ ଶାସନ ଗାଦିରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ସେଲ୍ଫ-ମୋଡ୍ରେ ନିଜ ସ୍ଥିତିକୁ ଆହୁରି ମଜବୁତ କରିବାକୁ ଯାଉଛି। ବିଶେଷ କରି ପଶ୍ଚିମବଙ୍ଗରୁ ମିଳିବାକୁ ଥିବା ବଡ଼ ସଫଳତା ଦଳକୁ ସଂସଦର ଉଚ୍ଚ ସଦନ ଅର୍ଥାତ୍ ରାଜ୍ୟସଭାରେ ଏକ ବଡ଼ ସଂଖ୍ୟାଗରିଷ୍ଠତା ଆଡ଼କୁ ନେଇଯାଉଛି।
ଆସନ୍ତା ଜୁଲାଇ 24 ତାରିଖରେ ପଶ୍ଚିମବଙ୍ଗର 3ଟି ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ ହେବାକୁ ଯାଉଛି। ଟିଏମସି (TMC) ରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା 3 ଜଣ ପୂର୍ବତନ ସାଂସଦଙ୍କ ଆସନ ଖାଲି ପଡ଼ିଥିବାରୁ ଏହି ନିର୍ବାଚନ ହେଉଛି। ବର୍ତ୍ତମାନ ପଶ୍ଚିମବଙ୍ଗ ବିଧାନସଭାରେ ଥିବା ସମୀକରଣ ଅନୁଯାୟୀ, ବିଜେପି ବିନା କୌଣସି ବଡ଼ ପ୍ରତିଦ୍ୱନ୍ଦ୍ୱିତାରେ ଏହି ତିନୋଟିଯାକ ଆସନକୁ ନିଜ ଖାତାକୁ ଆଣିବା ଏକପ୍ରକାର ନିଶ୍ଚିତ।
ଏହି ବିଜୟ ପରେ ରାଜ୍ୟସଭାରେ ଏନଡିଏର ସଦସ୍ୟ ସଂଖ୍ୟା 154 କୁ ବୃଦ୍ଧି ପାଇବ। 245 ଆସନ ବିଶିଷ୍ଟ ରାଜ୍ୟସଭାରେ ସମ୍ବିଧାନ ସଂଶୋଧନ ଭଳି ବଡ଼ ବିଲ୍ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ (163 ଆସନ) ଆବଶ୍ୟକ ହୋଇଥାଏ। ବର୍ତ୍ତମାନ ଏନଡିଏ ଏହି ଯାଦୁକରୀ ସଂଖ୍ୟାଠାରୁ ମାତ୍ର 9ଟି ଆସନ ଦୂରରେ ରହିବ।ଖାଲି ସେତିକି ନୁହେଁ, ବିଜେପି ଏକାକୀ 114ଟି ଆସନ ସହ ସଂଖ୍ୟାଗରିଷ୍ଠତା ମାର୍କ (123) ର ସହଜରେ ନିକଟତର ହେଉଛି।
ସଂଖ୍ୟାବଳ ବଢ଼ିବା ପରେ କେନ୍ଦ୍ର ସରକାର ଆଗାମୀ ମୌସୁମୀ ଅଧିବେଶନରେ କେତେକ ବଡ଼ ତଥା ଐତିହାସିକ ବିଲ୍ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି|ପଶ୍ଚିମବଙ୍ଗର ଏହି ଉପ-ନିର୍ବାଚନ ଫଳାଫଳ କେବଳ ରାଜ୍ୟ ରାଜନୀତି ନୁହେଁ, ବରଂ ଦେଶର ବଡ଼ ବଡ଼ ଆଇନ ପ୍ରଣୟନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହେବାକୁ ଯାଉଛି।

