ଫର୍ମ-୬ ବଦଳାଇବା ବିବାଦ: ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପରେ ସିଇସିଙ୍କୁ ଘେରିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ନୂଆ ଭୋଟର ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ‘ଫର୍ମ-୬’ (Form 6) ରେ ହୋଇଥିବା ପରିବର୍ତ୍ତନକୁ ନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ଏକ ଶୁଣାଣି ପରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ, ସିଇସି ସମ୍ପୂର୍ଣ୍ଣ ଗେରଆଇନୀ ଏବଂ ଏକଚାଟିଆ ଭାବେ ଫର୍ମ-୬ ରେ ବଦଳ କରିଛନ୍ତି, ଯାହା ଗଣତନ୍ତ୍ର ପ୍ରତି ଏକ ବଡ଼ ଆଘାତ।
ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ଦ୍ୱାରା ଫର୍ମ-୬ ରେ କରାଯାଇଥିବା କୌଣସି ବି ପରିବର୍ତ୍ତନକୁ କୋର୍ଟ ମଞ୍ଜୁରୀ ଦେଇନାହାନ୍ତି। ଏହାସହ ଏହି ନିଷ୍ପତ୍ତି କିପରି ଏବଂ କାହା ନିର୍ଦ୍ଦେଶରେ ନିଆଗଲା, ସେ ନେଇ ଅନ୍ତରୀଣ ରେକର୍ଡ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୋସିଆଲ ମିଡିଆ ‘X’ ରେ ପୋଷ୍ଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ନୂଆ ଏବଂ ଯୁବ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା କିମ୍ବା ସେମାନଙ୍କୁ ପଞ୍ଜୀକରଣରୁ ବଞ୍ଚିତ କରିବା ପାଇଁ ଏପରି ବେଆଇନ ପଦକ୍ଷେପ ନିଆଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ତେବେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଭୟରେ ସିଇସିଙ୍କ ବିରୋଧରେ କୌଣସି ଅନ୍ତରୀଣ ସ୍ଥଗିତାଦେଶ ଦେବାକୁ କୋର୍ଟ ବର୍ତ୍ତମାନ ପାଇଁ ମନା କରିଦେଇଛନ୍ତି।



