ମାଚ୍ୟୁରିଟି ବାବଦରେ ଜଣାଇଲାନି ବ୍ୟାଙ୍କ, ଅବସରପ୍ରାପ୍ତ ବୈଜ୍ଞାନିକଙ୍କୁ ୧୫ ଲକ୍ଷ ଟଙ୍କା ସୁଧ ସହ ଫେରାଇବାକୁ SBI କୁ କୋର୍ଟଙ୍କ ନିର୍ଦ୍ଦେଶ
ହାଇଦ୍ରାବାଦ: SBI ବ୍ୟାଙ୍କର ବଡ଼ ଅବହେଳା ପାଇଁ ଗ୍ରାହକଙ୍କୁ ମିଳିଲା ନ୍ୟାୟ। ଫିକ୍ସଡ୍ ଡିପୋଜିଟ୍ (FD) ମାଚ୍ୟୋର ହେବା ପରେ ବି ଗ୍ରାହକଙ୍କୁ ସୂଚନା ନଦେବା ଏବଂ ଗଚ୍ଛିତ ଟଙ୍କା ଉପରେ ‘ଶୂନ୍ୟ ପ୍ରତିଶତ’ ସୁଧ ଦେଖାଇବା SBI କୁ ମହଙ୍ଗା ପଡ଼ିଛି। ହାଇଦ୍ରାବାଦ ଜିଲ୍ଲା ଗ୍ରାହକ ବିବାଦ ନିବାରଣ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଶୁଣାଇ, ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କୁ ତାଙ୍କର ୧୫ ଲକ୍ଷ ଟଙ୍କା ସୁଧ ସହ ଫେରାଇବାକୁ ଭାରତୀୟ ସ୍ପେଟ୍ ବ୍ୟାଙ୍କ (SBI) କୁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାଟି କ’ଣ ଥିଲା?
ଡିଆରଡିଏଲ (DRDL) ରୁ ଅବସର ନେଇଥିବା ବୈଜ୍ଞାନିକ ଅଶ୍ୱିନୀ କୁମାର ୨୦୧୮ ମସିହାରେ ନିଜ ସଞ୍ଚିତ ଟଙ୍କାରୁ ୧୫ ଲକ୍ଷ ଟଙ୍କା SBI ର ବରକତପୁରା ଶାଖାରେ ୫ ବର୍ଷ ପାଇଁ ବାର୍ଷିକ ୮.୫% ସୁଧ ହାରରେ ଜମା ରଖିଥିଲେ। ୨୦୨୩ ଡିସେମ୍ବରରେ ଏହି ଜମା ରାଶିର ଅବଧି ଶେଷ (Maturity) ହୋଇଥିଲା। କିନ୍ତୁ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ପରବର୍ତ୍ତୀ ସମୟରେ ଅଶ୍ୱିନୀ ଯେତେବେଳେ ଅନଲାଇନ୍ ପୋର୍ଟାଲରେ ଯାଞ୍ଚ କଲେ, ସେତେବେଳେ ସେଠାରେ ନୂଆ ମାଚ୍ୟୁରିଟି ତାରିଖ ୨୦୨୮ ଦେଖାଉଥିଲା ଏବଂ ସୁଧ ହାର ୦% (ଶୂନ୍ୟ) ଦର୍ଶାଯାଇଥିଲା।
ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ପଚାରିବାରୁ, ସେମାନେ କହିଥିଲେ ଯେ ଅବଧି ବୃଦ୍ଧି ପାଇଁ କୌଣସି ଲିଖିତ ଆବେଦନ ମିଳି ନଥିବାରୁ ମାଚ୍ୟୁରିଟି ପରଠାରୁ ସୁଧ ଦିଆଯାଇନାହିଁ।
ଗ୍ରାହକ କୋର୍ଟଙ୍କ କଡ଼ା ଆଭିମୁଖ୍ୟ:
ଏହାକୁ ସେବା ଯୋଗାଣରେ ବଡ଼ ଧରଣର ତ୍ରୁଟି ଓ ଅନୁଚିତ ବ୍ୟବସାୟିକ ଆଚରଣ ଦର୍ଶାଇ ଅଶ୍ୱିନୀ କୁମାର ଗ୍ରାହକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି କୋର୍ଟ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିନଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ:
୪୫ ଦିନ ମଧ୍ୟରେ ବ୍ୟାଙ୍କକୁ ନିମ୍ନଲିଖିତ ଦେୟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି:
-
ମୂଳ ଜମା ରାଶି ୧୫ ଲକ୍ଷ ଟଙ୍କା ସହ ଚୁକ୍ତି ମୁତାବକ ୮.୫% ବାର୍ଷିକ ସୁଧ (ଡିସେମ୍ବର ୨୦୨୩ ଯାଏଁ) ଏବଂ ତା’ପରଠାରୁ ଟଙ୍କା ଫେରସ୍ତ ହେବା ପର୍ଯ୍ୟନ୍ତ ସଞ୍ଚୟ ଆକାଉଣ୍ଟ ସୁଧ ହାର।
-
ମାନସିକ ଯନ୍ତ୍ରଣା ଓ ହଇରାଣ ହୋଇଥିବାରୁ ୨୫,୦୦୦ ଟଙ୍କା କ୍ଷତିପୂରଣ।
-
ଆଇନଗତ ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା।



