ଦାରା ସିଂଙ୍କ ମୁକ୍ତି ମାମଲା: ସେପ୍ଟେମ୍ବର ୨ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ଅସାମୟିକ ମୁକ୍ତି (Premature Release) ଆବେଦନ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡ (State Sentence Review Board)କୁ ଆସନ୍ତା ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ଅଦାଲତ ଶେଷ ସୁଯୋଗ ଦେଇଛନ୍ତି।
ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବୋର୍ଡ ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ନିଷ୍ପତ୍ତି ନନିଏ, ତେବେ କୋର୍ଟ ନିଜେ ଏହି ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇବେ।
ଜଷ୍ଟିସ ମନୋଜ ମିଶ୍ର ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ବୋର୍ଡର ଟାଳଟୁଳ ନୀତି ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଦାରା ସିଂ ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହିସାରିଥିବାରୁ, ଓଡ଼ିଶା ଜେଲ ନିୟମାବଳୀ ଅନୁଯାୟୀ ତାଙ୍କ ମୁକ୍ତି ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା। ଏହି ମାମଲାରେ ଦାରା ସିଂଙ୍କୁ ପ୍ରଥମେ ଫାଁସି ଦଣ୍ଡାଦେଶ ହୋଇଥିବା ବେଳେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ ଏହି ଆଜୀବନ କାରାଦଣ୍ଡକୁ କାୟମ ରଖିଥିଲେ।

