ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ୪ ବର୍ଷ ସେବା ପରେ ମିଳିବ ଆଉ ୨ ବର୍ଷର ଏକ୍ସଟେନସନ୍, ଘୋଷଣା କଲେ ସିଡିଏସ
ନୂଆଦିଲ୍ଲୀ[News Inshot]: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାରେ ସାମିଲ ଥିବା ଅଗ୍ନିବୀରଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚାରି ବର୍ଷର ନିର୍ଦ୍ଧାରିତ ସେବା ଅବଧି ପୂରଣ ହେବା ପରେ ଅଗ୍ନିବୀରମାନଙ୍କୁ ଆଉ ୨ ବର୍ଷର ସେବା ସମ୍ପ୍ରସାରଣ (Extension) ମିଳିବ। କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଜେନେରାଲ ଏନ. ଏସ. ରାଜା ସୁବ୍ରମଣ୍ୟମ ଏହି ବଡ଼ ଘୋଷଣା କରିଛନ୍ତି।
ନୂତନ ନିୟମ ଅନୁଯାୟୀ, ୪ ବର୍ଷର କାର୍ଯ୍ୟକାଳ ପରେ ନିୟମିତ ସେବାରେ ସ୍ଥାୟୀ ନହୋଇ ବାହାରିବାକୁ ଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ୨ ବର୍ଷ ଚାକିରି କରିବାର ସୁଯୋଗ ମିଳିବ। ଏହି ଅତିରିକ୍ତ ୨ ବର୍ଷର ସେବା ଶେଷ ହେବା ପରେ, ଯୋଗ୍ୟ ଓ ଇଚ୍ଛୁକ ଅଗ୍ନିବୀରମାନଙ୍କ ପାଇଁ ଭାରତୀୟ ସେନା, ନୌସେନା ଓ ବାୟୁସେନାରେ ନିୟମିତ (Permanent Enrolment) ଭାବେ ସାମିଲ ହେବା ପାଇଁ ପୁନର୍ବାର ଆବେଦନ ଓ ମୂଲ୍ୟାୟନର ରାସ୍ତା ଖୋଲିବ।
ପ୍ରଥମ ବ୍ୟାଚ୍ର ୧୮ ହଜାରରୁ ଉର୍ଦ୍ଧ୍ବ ଅଗ୍ନିବୀର ଲାଭବାନ ହେବେ ୨୦୨୨ ମସିହାରେ ସେନାରେ ଯୋଗ ଦେଇଥିବା ପ୍ରଥମ ବ୍ୟାଚ୍ର ପ୍ରାୟ ୧୮,୩୦୦ ଅଗ୍ନିବୀରଙ୍କ ୪ ବର୍ଷିଆ କାର୍ଯ୍ୟକାଳ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବାକୁ ଯାଉଥିଲା। ସରକାରଙ୍କ ଏହି ନୂଆ ନିଷ୍ପତ୍ତି ଦ୍ବାରା ପ୍ରଥମେ ଏହି ବ୍ୟାଚ୍ର ସୈନିକମାନେ ସିଧାସଳଖ ଉପକୃତ ହେବେ।
ନିଯୁକ୍ତି ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଏହା ସହିତ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏବେ ଶାରୀରିକ ପରୀକ୍ଷା (Physical Test) ପୂର୍ବରୁ ଲିଖିତ ପରୀକ୍ଷା (Written Examination) କରାଯିବ। ଏହା ବ୍ୟତୀତ ସେବାରେ ଅର୍ଜନ କରିଥିବା ଦକ୍ଷତା ପାଇଁ ଅଗ୍ନିବୀରମାନଙ୍କୁ ସ୍ବଚ୍ଛତାପୂର୍ଣ୍ଣ ସ୍କିଲ୍ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯିବ।
ସେନାବାହିନୀରେ ଅଗ୍ନିବୀରମାନଙ୍କ ଦକ୍ଷତା ଓ ପ୍ରଶିକ୍ଷଣର ସଠିକ୍ ଉପଯୋଗ ସହ ସେନାକୁ ସଦାସର୍ବଦା ପ୍ରସ୍ତୁତ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ସିଡିଏସ ସୂଚନା ଦେଇଛନ୍ତି।



