ଜାତୀୟ ସ୍ୱଚ୍ଛ ବାୟୁ ପୁରସ୍କାର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଟ୍ରଫି ଦେଖାଇଲା BMC ଟିମ୍
ଭୁବନେଶ୍ୱର:
ଜାତୀୟ ୱାର୍ଡସ୍ତରୀୟ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ ଭୁବନେଶ୍ୱର ମହାନଗର ନିଗମ (BMC) ବାଜିମାତ୍ କରିବା ପରେ, ଗୁରୁବାର BMCର ଏକ ପ୍ରତିନିଧି ଦଳ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରିଛନ୍ତି। ସରକାରୀ ବାସଭବନରେ ଆୟୋଜିତ ଏହି ସାକ୍ଷାତକାର ସମୟରେ ଟିମ୍ ଜାତୀୟ ସ୍ତରରୁ ମିଳିଥିବା ସମ୍ମାନଜନକ ଟ୍ରଫି, ପ୍ରମାଣପତ୍ର ଓ ଚେକ୍ ମନ୍ତ୍ରୀଙ୍କୁ ପ୍ରଦର୍ଶନ କରିବା ସହ ଏହି ସଫଳତା ବାବଦରେ ଅବଗତ କରାଇଥିଲେ।
ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ ଡେପୁଟି ମେୟର ମଞ୍ଜୁଲତା କହଁର, BMC କମିଶନର ଚଞ୍ଚଳ ରାଣା, ଡେପୁଟି କମିଶନର (ପରିମଳ) ଏନ୍. ଗଣେଶ ବାବୁ, ପରିମଳ କମିଟିର ଅଧ୍ୟକ୍ଷ ଏବଂ ୱାର୍ଡ ନମ୍ବର ୨୨, ୩୦ ଓ ୩୬ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଚଳିତ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ BMCର ୱାର୍ଡ ନମ୍ବର ୩୬ ଓ ୩୦ ସାରା ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏହା ସହିତ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ୍ର ୱାର୍ଡ ନମ୍ବର ୧୩ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୌରବ ଆଣିଦେଇଛି। ତୃଣମୂଳ ସ୍ତରରେ ସ୍ଥାନୀୟ ଯୋଜନା, ସଚେତନତା ଓ ନାଗରିକଙ୍କ ସକ୍ରିୟ ଭାଗିଦାରୀ ଯୋଗୁଁ ହିଁ ଏହି ସଫଳତା ସମ୍ଭବ ହୋଇପାରିଛି।
BMC ଟିମ୍କୁ ଶୁଭେଚ୍ଛା ଜଣାଇ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ଯେ, “ଏହା ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ। ବାୟୁର ଗୁଣବତ୍ତା ବଜାୟ ରଖିବା ଗୋଟିଏ ଦିନର କାମ ନୁହେଁ, ଏହା ଏକ ନିରନ୍ତର ପ୍ରକ୍ରିୟା। ଆଗାମୀ ଦିନରେ ଭୁବନେଶ୍ୱରକୁ ଆହୁରି ସବୁଜ ଓ ସୁସ୍ଥ କରିବା ପାଇଁ ୱାର୍ଡସ୍ତରୀୟ ପଦକ୍ଷେପକୁ ଅଧିକ ମଜବୁତ୍ କରାଯିବ”। BMC ପ୍ରତିନିଧିମାନେ ମଧ୍ୟ ସହରସାରା ସ୍ୱଚ୍ଛ ବାୟୁ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

