ରାଜସ୍ଥାନ ପୌର ନିର୍ବାଚନ: ଝାଲାୱାଡ଼ରେ ବିଜେପିକୁ ବଡ଼ ଝଟକା, ୨୯ଟି ୱାର୍ଡ ହାତେଇଲା କଂଗ୍ରେସ
ଜୟପୁର: ରାଜସ୍ଥାନ ପୌର ନିର୍ବାଚନ ଫଳାଫଳରେ ଶାସକ ବିଜେପିକୁ ଲାଗିଛି ଏକ ବଡ଼ ଝଟକା। ଦଳର ଟାଣୁଆ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗଡ଼ କୁହାଯାଉଥିବା ଝାଲାୱାଡ଼ ପୌର ପରିଷଦକୁ କଂଗ୍ରେସ ନିଜ କବଜାକୁ ନେଇଛି।
ମୋଟ ୪୫ଟି ୱାର୍ଡ ମଧ୍ୟରୁ କଂଗ୍ରେସ ଏକାକୀ ୨୯ଟିରେ ବିଜୟୀ ହୋଇ ସ୍ପଷ୍ଟ ବହୁମତ ହାସଲ କରିଛି। ଅନ୍ୟପଟେ ବିଜେପି ମାତ୍ର ୧୩ଟି ୱାର୍ଡରେ ସିମିତ ରହିଥିବା ବେଳେ ୨ଟିରେ ସ୍ବାଧୀନ ଏବଂ ଗୋଟିଏ ଆସନରେ ଆପ୍ (AAP) ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଝାଲାୱାଡ଼ ଜିଲ୍ଲା ଦୀର୍ଘ ଦିନରୁ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ସାଂସଦ ଦୁଷ୍ୟନ୍ତ ସିଂହଙ୍କର ପ୍ରଭାବଶାଳୀ କ୍ଷେତ୍ର ଭାବେ ଜଣାଶୁଣା। ୨୦୦୩ ମସିହାରୁ ରାଜେ ଏହି ଜିଲ୍ଲାର ଝାଲରାପାଟନ୍ ଆସନରୁ ବିଧାୟକ ଭାବେ ଜିତି ଆସୁଛନ୍ତି। ଏପରି ସ୍ଥିତିରେ ନିଜ ନିର୍ବାଚନ ମଣ୍ଡଳୀରେ ବିଜେପିର ଏହି ପରାଜୟ ଦଳ ପାଇଁ ବେଶ୍ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
ଏହି ବିଜୟ ପରେ ଝାଲାୱାଡ଼ ପୌର ପରିଷଦରେ କଂଗ୍ରେସ ନିଜର ଚେୟାରମ୍ୟାନ ବସାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ରାଜ୍ୟର ଅନ୍ୟ କେତେକ ବଡ଼ ପୌର ନିଗମ ଏବଂ ସହରାଞ୍ଚଳରେ ବିଜେପି ନିଜର ଦବଦବା ବଜାୟ ରଖିଛି।
୨୦୨୮ ପୂର୍ବରୁ ବଡ଼ ଅଗ୍ନିପରୀକ୍ଷା:
୨୦୨୮ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପୌର ଭୋଟକୁ ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ସେମିଫାଇନାଲ୍ କୁହାଯାଉଛି। ଏହି ନିର୍ବାଚନ ଫଳାଫଳ ରାଜ୍ୟର ପୌର ନିଗମ, ପୌର ପରିଷଦ ଏବଂ ପୌରପାଳିକାଗୁଡ଼ିକର ଶାସନ ଡୋରି କାହା ହାତକୁ ଯିବ ତାହା ସ୍ପଷ୍ଟ କରିବ।
ନିର୍ବାଚନ କ୍ରମସୂଚୀ ଅନୁଯାୟୀ, ସେପ୍ଟେମ୍ବର ୨୧ ତାରିଖରେ ମେୟର ଓ ପୌର ଅଧ୍ୟକ୍ଷ ନିର୍ବାଚନ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୨ରେ ଡେପୁଟି ମେୟର ଏବଂ ଉପାଧ୍ୟକ୍ଷ ପଦ ପାଇଁ ଭୋଟଗ୍ରହଣ କରାଯିବ।

