ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ସ୍ୱାଗତ କଲା ବିଜେଡି
ଭୁବନେଶ୍ୱର (ନ୍ୟୁଜ୍ ଇନ୍ସଟ୍): ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ଥା ବିଜେଡି ନେତା ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ମାମଲାର ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣି ବାରିକ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାରିକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଦାଖଲ କରିଥିବା ଚାର୍ଜସିଟ୍ରେ ପ୍ରତାପ ଜେନାଙ୍କ ନାମ ନଥିଲେ ବି ପରବର୍ତ୍ତୀ ସମୟରେ ପ୍ରୋଟେଷ୍ଟ ପିଟିସନ୍ ଆଧାରରେ ଶାଲେପୁର JMFC କୋର୍ଟ ତାଙ୍କ ବିରୋଧରେ ସଂଜ୍ଞାନ ଗ୍ରହଣ କରିଥିଲେ। ତେବେ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରିବା ପରେ ମାମଲା ସୁପ୍ରିମକୋର୍ଟ ପହଞ୍ଚିଥିଲା।
ସୁପ୍ରିମକୋର୍ଟଙ୍କ ଆଦେଶକୁ ସ୍ୱାଗତ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ବିଜେଡି କହିଛି ଯେ, ରାଜନୈତିକ ଅପପ୍ରଚାର କିମ୍ବା ଆଗୁଆ ନିଷ୍କର୍ଷ ନୁହେଁ, ବରଂ ଆଇନ, ତଥ୍ୟ ଓ ପ୍ରମାଣ ଆଧାରରେ ନ୍ୟାୟିକ ପ୍ରକ୍ରିୟା ପରିଚାଳିତ ହୋଇଛି। ସତ୍ୟକୁ କିଛି ସମୟ ପାଇଁ ଆଢ଼ୁଆଳରେ ରଖାଯାଇପାରେ, କିନ୍ତୁ ସବୁଦିନ ପାଇଁ ଲୁଚାଇ ରଖାଯାଇପାରିବ ନାହିଁ। ନ୍ୟାୟପାଳିକା ଉପରେ ଦଳର ସଦାସର୍ବଦା ପୂର୍ଣ୍ଣ ଆସ୍ଥା ରହିଛି।



