ବାହାଘରରେ ବାଉନ୍ସର ପଶାଇ ଲାଇଟ୍ ବନ୍ଦ କଲେ ହୋଟେଲ ମାଲିକ: ଗ୍ରାହକ ଅଦାଲତ ଗଣିଲେ ୩.୨୦ ଲକ୍ଷ ଟଙ୍କାର ଜରିମାନା
ପୁଅ ବାହାଘର ପାଇଁ ବୁକ୍ ହୋଇଥିଲା ମଣ୍ଡପ। କିନ୍ତୁ ବାହାଘର ଚାଲିଥିବା ସମୟରେ ଅତିରିକ୍ତ ପଇସା ଦାବି କରି ହୋଟେଲ ମାଲିକ ରୀତିମତ ଗୁଣ୍ଡାଗିରି କଲେ । ସେତିକିରେ ମନ ବୁଝିଲାନି, ବାଉନ୍ସର ପଶାଇ ବାହାଘର ଲାଇଟ୍ ବନ୍ଦ କରିଦେଲେ! ଏଭଳି ଏକ ଅଭାବନୀୟ ଘଟଣାରେ ଗୁରୁଗ୍ରାମ ଜିଲ୍ଲା ଗ୍ରାହକ ଅଦାଲତ (Consumer Court) ହୋଟେଲ ମାଲିକଙ୍କୁ କଠୋର ଦଣ୍ଡ ଶୁଣାଇଛନ୍ତି। ଗ୍ରାହକଙ୍କୁ ନିର୍ଯାତନା ଦେବା ଓ ସେବାରେ ତ୍ରୁଟି ପାଇଁ ହୋଟେଲକୁ ୩.୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଗଣିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଘଟଣା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ପୁଅ ବାହାଘର ପାଇଁ ବୃନ୍ଦାବନର ଏକ ହୋଟେଲ ବୁକ୍ କରିଥିଲେ। ବାହାଘର ଚାଲିଥିବା ବେଳେ ଆସିନଥିବା ୩୦ ଜଣ ଅତିଥିଙ୍କ ପାଇଁ ହୋଟେଲ କର୍ତ୍ତୃପକ୍ଷ ଜୋରଜବରଦସ୍ତ ଅତିରିକ୍ତ ପଇସା ମାଗିଥିଲେ। ପରିବାର ଲୋକ ଏହାକୁ ବିରୋଧ କରିବାରୁ ହୋଟେଲ କର୍ମଚାରୀ ବାଉନ୍ସର ଡକାଇ ବାହାଘରର ଲାଇଟ୍ କାଟି ଦେଇଥିଲେ, ଯାହାଫଳରେ ବରପକ୍ଷ ଓ ଅତିଥିମାନେ କଷ୍ଟ ଓ ଅପମାନ ସହିଥିଲେ।
ପୀଡ଼ିତ ପରିବାର ଗ୍ରାହକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ହୋଟେଲ ପକ୍ଷରୁ କୌଣସି ପକ୍ଷ ରଖାଯାଇ ନଥିବାରୁ ଅଦାଲତ ଏକତରଫା ରାୟ ଶୁଣାଇ ହୋଟେଲକୁ ୩.୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ମଧ୍ୟରେ ମାନସିକ ନିର୍ଯାତନା ବାବଦକୁ ୩୦,୦୦୦ ଟଙ୍କା ଓ ଆଇନଗତ ଖର୍ଚ୍ଚ ବାବଦକୁ ୧୧,୦୦୦ ଟଙ୍କା ସାମିଲ ରହିଛି। ନିର୍ଦ୍ଦେଶ ନମାନିଲେ ହୋଟେଲ ମାଲିକଙ୍କୁ ଜେଲ ଯିବାକୁ ପଡ଼ିପାରେ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି।



