ଟିଭିଏସ୍ ଗ୍ରୁପ୍ରେ ବ୍ୟବସାୟ ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ କନ୍ଦଳ: ଆମସାମ୍ନି ଭାଇ-ଭଉଣୀ, କୋର୍ଟକୁ ଯାଇପାରେ ବିବାଦ
ମସୁର ଅଟୋମୋବାଇଲ୍ ସଂସ୍ଥା ‘ଟିଭିଏସ୍’ (TVS) ପରିବାରରେ ବ୍ୟବସାୟ ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗମ୍ଭୀର କନ୍ଦଳ ଆରମ୍ଭ ହୋଇଛି। ଟିଭିଏସ୍ ଗ୍ରୁପ୍ର ଚେୟାରମ୍ୟାନ୍ ଏମେରିଟସ୍ ଭେଣୁ ଶ୍ରୀନିବାସନ୍ଙ୍କ ପୁଅ ସୁଦର୍ଶନ ଭେଣୁ ଏବଂ ଝିଅ ଲକ୍ଷ୍ମୀ ଭେଣୁଙ୍କ ମଧ୍ୟରେ ପରିବାରର ଚୁକ୍ତିପତ୍ର (MoU) ଓ ସମ୍ପତ୍ତିର ମାଲିକାନାକୁ ନେଇ ମତଭେଦ ତୀବ୍ର ରୂପ ନେଇଛି।
କାହିଁକି ଆରମ୍ଭ ହେଲା ବିବାଦ?
୨୦୨୪ ମାର୍ଚ୍ଚ ମାସରେ ପରିବାର ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏକ ଚୁକ୍ତିପତ୍ରକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଭେଣୁ ଶ୍ରୀନିବାସନ୍ ଓ ପୁଅ ସୁଦର୍ଶନଙ୍କ ଗୋଷ୍ଠୀର କହିବା କଥା ଯେ, ଚୁକ୍ତି ଅନୁସାରେ ବ୍ୟବସାୟର ମୂଲ୍ୟାୟନ ଆଧାରରେ ସୁଦର୍ଶନଙ୍କୁ ‘ଟିଭିଏସ୍ ମୋଟର’ ଏବଂ ଲକ୍ଷ୍ମୀଙ୍କୁ ‘ସୁନ୍ଦରମ୍-କ୍ଲେଟନ୍’ (SCL) ଦିଆଯାଇଛି।
ଅନ୍ୟପଟେ, ଭେଣୁଙ୍କ ପତ୍ନୀ ମଲ୍ଲିକା ଶ୍ରୀନିବାସନ୍ ଓ ଝିଅ ଲକ୍ଷ୍ମୀଙ୍କ ଗୋଷ୍ଠୀ ଏହାକୁ ଖଣ୍ଡନ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ, ଏହି MoU କେବଳ ବ୍ରାଣ୍ଡ୍ ବ୍ୟବହାର ଓ ବ୍ୟବସାୟ ସୀମା ପାଇଁ ଥିଲା; ଏହା ସମ୍ପତ୍ତିର ମାଲିକାନା କିମ୍ବା ଉତ୍ତରାଧିକାର ଅଧିକାରକୁ ବଦଳାଇ ନାହିଁ। ବ୍ୟବସାୟର ପରିଚାଳନା ଦାୟିତ୍ୱ ପାଇବା ଅର୍ଥ ନୁହେଁ ଯେ କମ୍ପାନୀର ପୁରା ମାଲିକାନା ମଧ୍ୟ ମିଳିଗଲା।
ମୂଲ୍ୟାୟନର ବଡ଼ ଫରକ:
ବିବାଦର ଅନ୍ୟତମ ମୁଖ୍ୟ କାରଣ ହେଉଛି ଦୁଇ କମ୍ପାନୀର ମୂଲ୍ୟାୟନ (Valuation) ମଧ୍ୟରେ ବଡ଼ ଫରକ। ସୁଦର୍ଶନ ସମ୍ଭାଳୁଥିବା ‘ଟିଭିଏସ୍ ମୋଟର’ର ବାଜାର ମୂଲ୍ୟ ପ୍ରାୟ ₹୧.୮୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଲକ୍ଷ୍ମୀ ଦାୟିତ୍ୱରେ ଥିବା ‘ସୁନ୍ଦରମ୍-କ୍ଲେଟନ୍’ର ମୂଲ୍ୟ ପ୍ରାୟ ₹୨୪,୦୦୦ କୋଟି।
ଅଦାଲତକୁ ଯାଇପାରେ ମାମଲା:
ସମ୍ପ୍ରତି ଟିଭିଏସ୍ ହୋଲ୍ଡିଂସର କିଛି ସେୟାର ଟ୍ରଷ୍ଟ ଜରିଆରେ ସୁଦର୍ଶନଙ୍କ ନାମରେ ହସ୍ତାନ୍ତର ହେବା ପରେ ଉତ୍ତେଜନା ଆହୁରି ବଢ଼ିଛି। ମାମଲାର ସମାଧାନ ନହେଲେ ଲକ୍ଷ୍ମୀ ଭେଣୁ ଆଇନଗତ ପଦକ୍ଷେପ ନେଇ ମାନ୍ଦ୍ରାଜ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସମ୍ଭାବନା ରହିଛି।



