Form 6 Row: Rahul Gandhi Questions TCS & EC/ଫର୍ମ-୬ ବିବାଦ: TCS ଓ EC କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ..

ଫର୍ମ-୬ ବିବାଦ: EC ଏବଂ TCS କୁ ରାହୁଲ ଗାନ୍ଧୀଙ୍କ ଘନଘନ ପ୍ରଶ୍ନ, ‘ଇଣ୍ଡିଆ’ ମେଣ୍ଟର ବଡ଼ ଆନ୍ଦୋଳନ ଡାକରା


ନୂଆଦିଲ୍ଲୀ:
ନୂଆ ଭୋଟର ଆବେଦନ ପାଇଁ ବ୍ୟବହୃତ ଅନଲାଇନ୍ ଫର୍ମ-୬ (Form 6) ରେ ବେଆଇନ ଭାବେ ଅଦଳବଦଳ କରାଯାଇଥିବା ଅଭିଯୋଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନ (ECI) ଏବଂ ଆଇଟି ସଂସ୍ଥା ଟାଟା କନସଲଟାନ୍ସି ସର୍ଭିସେସ (TCS) ଉପରେ ବାଣ ମାରିଛନ୍ତି। ସେପଟେ ଏହି ମୁଦ୍ଦାକୁ ନେଇ ବିରୋଧୀ ‘ଇଣ୍ଡିଆ’ (INDIA) ଗଠବନ୍ଧନ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ସଜବାଜ ହେଉଛି।


କ’ଣ ପ୍ରଶ୍ନ ଉଠାଇଛନ୍ତି ରାହୁଲ?


ସୋସିଆଲ ମିଡିଆ ‘ଏକ୍ସ’ (X) ରେ ପୋଷ୍ଟ କରି ରାହୁଲ ଗାନ୍ଧୀ କହିଛନ୍ତି, “ଅନଲାଇନ୍ ଫର୍ମ-୬ ରେ ବେଆଇନ ଭାବେ ପରିବର୍ତ୍ତନ କରାଯାଇଛି — ଯାହା ନିଜେ ନିର୍ବାଚନ କମିଶନଙ୍କ ନିଜ କମିଶନରମାନେ ରେକର୍ଡ କରିଛନ୍ତି। TCS କୁ ଏହି ପରିବର୍ତ୍ତନ କରିବା ପାଇଁ ନିର୍ବାଚନ କମିଶନଙ୍କ ଭିତରୁ କିଏ ଆଦେଶ ଦେଇଥିଲେ? TCS ର କେଉଁ ଅଧିକାରୀ ଏଥିରେ ଦସ୍ତଖତ କରିଥିଲେ ଏବଂ ସେମାନଙ୍କ ଉପରେ କୌଣସି ଚାପ ପକାଯାଇଥିଲା କି?”


TCS ର ଭୂମିକା ଏବଂ ନିର୍ବାଚନ କମିଶନଙ୍କ ଅନ୍ତରୀଣ ମତଭେଦ:

ଭୋଟର ତାଲିକା ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କ ‘ERONET’ ଏବଂ ‘ECINET’ ଭଳି ଡିଜିଟାଲ୍ ପ୍ଲାଟଫର୍ମ ପ୍ରସ୍ତୁତ ଓ ପରିଚାଳନା କରେ TCS। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ବେଳେ ଫର୍ମ-୬ ରେ ଏକ ଅତିରିକ୍ତ ଶର୍ତ୍ତ/ପ୍ରଶ୍ନ ଯୋଡ଼ାଯାଇଥିଲା।


ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଆଇନଗତ ସଂଶୋଧନ ନକରି ଅନଲାଇନ୍ ଫର୍ମରେ ଏପରି ବଦଳ କରିବାକୁ “ଅଣ-ଅଧିକୃତ ଏବଂ ବେଆଇନ” ବୋଲି ଅନ୍ତରୀଣ ବୈଠକରେ ଆପତ୍ତି ଉଠାଇଥିଲେ। ତେବେ ନିର୍ବାଚନ କମିଶନ ନିଜ ସଫାଇରେ କହିଛନ୍ତି ଯେ, ଫର୍ମ-୬ ର ମୂଳ ନିୟମ ବଦଳାଯାଇ ନାହିଁ, ବରଂ SIR ପାଇଁ ଏକ ଅତିରିକ୍ତ ଘୋଷଣାନାମା ଯୋଡ଼ାଯାଇଥିଲା ଏବଂ କମିଶନଙ୍କ ସମସ୍ତ ନିଷ୍ପତ୍ତି ଆଇନଗତ। ବିବାଦ ବଢ଼ିବାରୁ କମିଶନ ନିକଟରେ ଏହି ଅତିରିକ୍ତ ଘୋଷଣାନାମାକୁ କିଛି ସ୍ଥାନରୁ ହଟାଇ ନେଇଛନ୍ତି।

Leave a Reply

Your email address will not be published. Required fields are marked *