ବରମୁଣ୍ଡା ଅଙ୍ଗନବାଡ଼ିରେ ‘ଆଙ୍ଗନ୍ କା ଉତ୍ସବ’: ଶିଶୁଙ୍କୁ ନିଜ ହାତରେ ଖାଇବା ପରସିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (୨୯ ସେପ୍ଟେମ୍ବର):
ରାଜ୍ୟରେ କୁପୋଷଣ ଦୂର କରିବା ଏବଂ ମା’ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଉ ପାଦେ ଆଗକୁ ନେବା ପାଇଁ ଆରମ୍ଭ ହୋଇଛି ବିଶେଷ ପ୍ରୟାସ। ମଙ୍ଗଳବାର ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଠାରେ ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ୯ମ ‘ରାଷ୍ଟ୍ରୀୟ ପୋଷଣ ମାସ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ ‘ସୁ-ପୋଷିତ ଓଡ଼ିଶା’ ଗଠନ ପାଇଁ ରାଜ୍ୟ ସରକାରଙ୍କ ସଂକଳ୍ପକୁ ଦୋହରାଇଛନ୍ତି।
ଉତ୍ସବ ସମୟରେ ମୁଖ୍ୟମନ୍ତ୍ରୀ ନିଜେ କୋମଳମତି ଶିଶୁମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ଗରମ ସୁଷମ ଖାଦ୍ୟ ପରସିଥିଲେ ଏବଂ ସ୍କୁଲ କିଟ୍ ବାଣ୍ଟିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ‘ତିରଙ୍ଗା ଥାଳି’ର ଗୁଣବତ୍ତା ମଧ୍ୟ ସେ ପରଖିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଶୁର ଜନ୍ମର ପ୍ରଥମ ୧,୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ମା’ଙ୍କ ସହ ବାପା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଭୂମିକା ମଧ୍ୟ ରହିବା ଦରକାର। ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବାରେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଯୋଗଦାନକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବିଭାଗୀୟ ଅଧିକାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ। ସେବା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା।



