୭୨ତମ ବନ୍ୟପ୍ରାଣୀ ସପ୍ତାହ: ଚନ୍ଦକା ଜଙ୍ଗଲରେ ପ୍ରଥମ ‘ଗ୍ରୀନ୍ ମାରାଥନ୍’, ସାମିଲ ହେଲେ ଶହ ଶହ ପ୍ରକୃତିପ୍ରେମୀ
ଭୁବନେଶ୍ୱର:
ବନ୍ୟପ୍ରାଣୀ ସୁରକ୍ଷା ଓ ପ୍ରକୃତି ସହ ଯୋଡ଼ିହୋଇ ରହିବାର ସୁସ୍ଥ ବାର୍ତ୍ତା ନେଇ ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ‘ଚନ୍ଦକା ଗ୍ରୀନ୍ ମାରାଥନ୍’। ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ମାରାଥନ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ମନୋଜ ଭି. ନାୟରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସହରର କଂକ୍ରିଟ୍ ରାସ୍ତା ବଦଳରେ ଚନ୍ଦକା-ଭରତପୁର ଜଙ୍ଗଲ ଓ ଏକାମ୍ର କାନନର ସବୁଜିମା ଭିତରେ ଦୌଡ଼ିବା ପ୍ରତିଯୋଗୀଙ୍କ ପାଇଁ ଏକ ଅଭୁଲା ଅନୁଭୂତି ଥିଲା। ଏହି ଦୌଡ଼କୁ ୫, ୧୦ ଓ ୨୧ କିଲୋମିଟର ଭଳି ତିନୋଟି ବର୍ଗରେ ଭାଗ କରାଯାଇଥିଲା।
‘ବାସସ୍ଥଳୀର ସଂଯୋଗ, ବନ୍ୟପ୍ରାଣୀର ସମୃଦ୍ଧି’ ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାଧାରଣ ନାଗରିକମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ। ଜଙ୍ଗଲର ନିଶବ୍ଦତା ଓ ପ୍ରାକୃତିକ ପରିବେଶକୁ ବଜାୟ ରଖିବା ପାଇଁ ପ୍ରତିଯୋଗୀମାନଙ୍କୁ କଠୋର ନିୟମ ପାଳନ କରିବାକୁ କୁହାଯାଇଥିଲା। ପ୍ରକୃତି ସୁରକ୍ଷା ପାଇଁ ସାମୂହିକ ଦାୟିତ୍ୱବୋଧର ଗୁରୁତ୍ୱ ବୁଝାଇବା ଏହି ଗ୍ରୀନ୍ ମାରାଥନ୍ର ମୁଖ୍ୟ ଲକ୍ଷ୍ୟ ଥିଲା।



