‘ଲହରୀ’ ଟିମ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ସମ୍ମାନିତ ‘ଲହରୀ’ର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ୱରସ୍ଥିତ ନିଜ ବାସଭବନ ନବୀନ ନିବାସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ‘ଲହରୀ’ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜିକା ଓ ସମ୍ପୂର୍ଣ୍ଣ ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ସିନେମାର ଏହି ସଫଳତା ପାଇଁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଜାତୀୟ ପୁରସ୍କାର ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ଏବଂ ଆଗାମୀ ଦିନରେ ଏହା ଆମ କଳା-ସଂସ୍କୃତିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଦେବ।
ପ୍ରକାଶଯୋଗ୍ୟ, ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏବଂ ଆଞ୍ଚଳିକ ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ବାପା-ପୁଅଙ୍କ ସମ୍ପର୍କ, ଗ୍ରାମୀଣ ଜୀବନ ଓ ପରିବେଶ ପର୍ଯ୍ୟଟନର କାହାଣୀକୁ ନେଇ ନିର୍ମିତ ହୋଇଛି। ସିନେମାଟି ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଓଡ଼ିଆ ସିନେ ଜଗତ ପାଇଁ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।



