ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସୂଚନା ସୁରକ୍ଷା ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC)ଠାରେ ସୂଚନା ସୁରକ୍ଷା ଓ ବିପଦ ପରିଚାଳନା ଉପରେ ଏକ ରାଜ୍ୟସ୍ତରୀୟ ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଏବଂ ଏନ୍.ଆଇ.ସି. ଓଡ଼ିଶାର ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଅଧିକାରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମକୁ ଏନ୍.ଆଇ.ସି. ଓଡ଼ିଶାର ଉପ ମହାନିର୍ଦ୍ଦେଶକ ଡ. ଅଶୋକ କୁମାର ହୋତା ସ୍ୱାଗତ କରିବା ସହ ବୁଟକ୍ୟାମ୍ପର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଉଦ୍ଘାଟନୀ ସମାରୋହରେ ସି. ଭି. ରମଣ ଗ୍ଲୋବାଲ୍ ୟୁନିଭରସିଟିର କୁଳପତି ପ୍ରଫେସର (ଡ.) ବଂଶୀଧର ମାଝୀ ଯୋଗଦେଇ ଡିଜିଟାଲ ଯୁଗରେ ସୂଚନା ସୁରକ୍ଷା ଓ ସାଇବର ବିପଦର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।
ସେହିପରି ମୁଖ୍ୟ ବକ୍ତା ଭାବେ ପ୍ରତିରକ୍ଷା ସାଇବର ଏଜେନ୍ସିର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଏୟାର କମୋଡୋର ନିରଞ୍ଜନ କୁମାର ପାଢୀ ଯୋଗଦେଇ ସାଇବର ସୁରକ୍ଷାରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର, ଏହାର ସୁଯୋଗ ଓ ସମ୍ଭାବ୍ୟ ଆହ୍ୱାନ ସମ୍ପର୍କରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ।
ଏହି ଅବସରରେ ଏକ ସାଇବର ସୁରକ୍ଷା ସଚେତନତା ପୁସ୍ତିକା ଉନ୍ମୋଚିତ ହୋଇଥିବା ବେଳେ NIC ଓଡ଼ିଶାର ମାସିକ ନ୍ୟୁଜଲେଟର ‘The Ascender’ର ନୂତନ ସଂସ୍କରଣ ମଧ୍ୟ ପ୍ରକାଶିତ ହୋଇଥିଲା।
କାର୍ଯ୍ୟକ୍ରମରେ ସାଇବର ଥ୍ରେଟ୍, ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ, ସାଇବର ଡିଫେନ୍ସ ଟୁଲକିଟ୍ ଏବଂ ମୋବାଇଲ୍ ହ୍ୟାକିଂ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ୫ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ବିଜ୍ଞାନୀ ସୁଶ୍ରୀ ଶିବାନୀ କୋରା, ଶ୍ରୀ ଜୟନ୍ତ କୁମାର ମିଶ୍ର, ଶ୍ରୀ ନୀଳାଦ୍ରୀ ବିହାରୀ ମହାନ୍ତି ଓ ଶ୍ରୀ ରାହୁଲ କୁମାର ସିହ୍ନା ପ୍ରମୁଖ ଏହି ଅଧିବେଶନଗୁଡ଼ିକୁ ପରିଚାଳନା କରି ଅଂଶଗ୍ରହଣକାରୀଙ୍କୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରିଥିଲେ।

