ଆଗାମୀ ପାର୍ବଣ ପାଇଁ ଡିଜିପିଙ୍କ ବଡ଼ ବୈଠକ: କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ସମୀକ୍ଷା
କଟକ: ଆଗକୁ ଆସୁଛି ପାର୍ବଣ ଋତୁ। ଗଣେଶ ପୂଜା, ନୂଆଖାଇ, ଦୁର୍ଗାପୂଜାଠାରୁ ଆରମ୍ଭ କରି ବାଲିଯାତ୍ରା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ବଡ଼ ପର୍ବପର୍ବାଣୀ ଆସୁଥିବାରୁ ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପୋଲିସ ପ୍ରଶାସନ ତତ୍ପର ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ଓ ଅପରାଧ ସ୍ଥିତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନରେ ଥିବା ସମସ୍ତ ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ପାର୍ବଣ ସମୟରେ ଭିଡ଼ ନିୟନ୍ତ୍ରଣ, ସୁଚାରୁ ଟ୍ରାଫିକ ପରିଚାଳନା ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପୋଲିସ ବଳ ମୁତୟନ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସ୍ଥାନୀୟ କମିଟି, ଜନପ୍ରତିନିଧି ଓ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ନିରନ୍ତର ସମନ୍ୱୟ ରଖି ଶାନ୍ତି କମିଟି ବୈଠକ କରିବାକୁ କୁହାଯାଇଛି।
ପାର୍ବଣ ସୁରକ୍ଷା ସାଙ୍ଗକୁ ଅପରାଧ ନିୟନ୍ତ୍ରଣ, ସାଇବର କ୍ରାଇମ, ବେଆଇନ ଗୋ-ଚାଲାଣ, ବେଆଇନ ଖଣିଜ ପରିବହନ ଓ ‘ନିଶାମୁକ୍ତ ଓଡ଼ିଶା’ ପଦକ୍ଷେପକୁ ଆହୁରି ଜୋରଦାର କରିବାକୁ ଡିଜିପି ଗୁରୁତ୍ୱ ଦେଇଛନ୍ତି। ସୋସିଆଲ ମିଡିଆରେ ଗୁଜବ ଓ ଆପତ୍ତିଜନକ ତଥ୍ୟ ପ୍ରସାରଣ ଉପରେ କଡ଼ା ନଜର ରଖିବା ସହ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ଏଡିଜିପି ସୌମେନ୍ଦ୍ର ପ୍ରିୟଦର୍ଶୀ, ସଞ୍ଜୟ କୁମାର, ପ୍ରତୀକ ମହାନ୍ତିଙ୍କ ସମେତ ପୋଲିସ ମୁଖ୍ୟାଳୟର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

