CM Mohan Charan Majhi Arrives in Abu Dhabi to Launch Odisha’s UAE Investment Drive/ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଆରମ୍ଭ ହେଲା ଓଡ଼ିଶାର ୟୁଏଇ ନିବେଶ ଅଭିଯାନ

ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆରମ୍ଭ ହେଲା ଓଡ଼ିଶାର ୟୁଏଇ ନିବେଶ ଅଭିଯାନ
ଆବୁଧାବି/ଭୁବନେଶ୍ୱର:
ରାଜ୍ୟକୁ ବୃହତ୍ ଶିଳ୍ପ ଓ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପହଞ୍ଚିଛନ୍ତି। ଏହି ଗସ୍ତ ସହ ଓଡ଼ିଶାର ଉଚ୍ଚସ୍ତରୀୟ ୟୁଏଇ ନିବେଶ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ସେଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ବୈଠକ ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଇପିକଲର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଆବୁଧାବିରେ ପହଞ୍ଚିବା ପରେ ଭାରତୀୟ ଦୂତାବାସର ପ୍ରତିନିଧି ଓ ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ।
ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଆଗାମୀ ନିବେଶକ ଆଲୋଚନାର ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିସହିତ ସେ ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଓ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି। ସେଠାରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା ଓ ୟୁଏଇ ମଧ୍ୟରେ ସଂଯୋଗ ସେତୁ ବୋଲି କହିବା ସହ ସେମାନଙ୍କ ସୁବିଧା ସୁଯୋଗ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ସେପ୍ଟେମ୍ବର ୯ରେ ଆବୁଧାବିରେ ଅନେକ ପ୍ରମୁଖ ଶିଳ୍ପପତି ଓ ନିବେଶକଙ୍କ ସହ ବୈଠକ ନିର୍ଦ୍ଧାରିତ ହୋଇଛି। ଏଥିରେ ‘ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ’ (IHC), ‘ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍’ (IBPG), ୟୁଏଇର ନିବେଶ ମନ୍ତ୍ରୀଙ୍କ ସମେତ ପେଟ୍ରୋକେମିକାଲ୍ସ, ଭିତ୍ତିଭୂମି, ମାନୁଫ୍ୟାକଚରିଂ ଓ ଶକ୍ତି କ୍ଷେତ୍ରର ପ୍ରମୁଖ ସଂସ୍ଥାଗୁଡ଼ିକ ସହ ଆଲୋଚନା ହେବ।
“ଆମେ କେବଳ ନିବେଶ ଆଣିବାକୁ ଆସିନାହୁଁ, ବରଂ ବିଶ୍ୱାସ, ପ୍ରଯୁକ୍ତିବିଦ୍ୟା ଓ ନୂତନ ରୋଜଗାର ସୃଷ୍ଟି ଉପରେ ଆଧାରିତ ଦୀର୍ଘକାଳୀନ ଭାଗିଦାରୀ ଗଢ଼ିବାକୁ ଆସିଛୁ,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେପ୍ଟେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ଦଳ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *