71-Ft High Idol, Silver Jewels & Light Show: Baramunda Gears Up for Grand Ganesh Festival/ଓଡ଼ିଶାର ସବୁଠୁ ଉଚ୍ଚ ଗଣେଶ ମୂର୍ତ୍ତି ଗଢ଼ୁଛି ସ୍ମାର୍ଟ ୟୁଥ୍ ଫୋର୍ସ, ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ମହାପୂଜା

ଭୁବନେଶ୍ୱର ବରମୁଣ୍ଡାରେ ଓଡ଼ିଶାର ସବୁଠୁ ଉଚ୍ଛ ଗଣେଶ ମୂର୍ତ୍ତି: ୭୧ ଫୁଟ୍ ପ୍ରତିମା ସହ ୭ ଦିନ ଧରି ଚାଲିବ ଧୂମଧାମ୍ ଆୟୋଜନ
ଭୁବନେଶ୍ୱର:ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡାରେ ଦେଖିବାକୁ ମିଳିବ ଓଡ଼ିଶାର ସବୁଠାରୁ ଉଚ୍ଚ ଗଣେଶ ପ୍ରତିମୂର୍ତ୍ତି। ସ୍ମାର୍ଟ ୟୁଥ୍ ଫୋର୍ସ ଅର୍ଗନାଇଜେସନ୍ ପକ୍ଷରୁ ଏହି ପୂଜା ଆୟୋଜିତ ହେଉଥିବା ବେଳେ, ଚଳିତ ବର୍ଷ ଅନୁଷ୍ଠାନ ପୂଜା ଆୟୋଜନର ୧୧ ବର୍ଷରେ ପଦାର୍ପଣ କରୁଛି। ଏହି ପୂଜା ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ, ଅର୍ଥାତ୍ ୭ ଦିନ ଧରି ଚାଲିବ।

ଏଥର ପ୍ରଭୁ ଗଣପତିଙ୍କ ୭୧ ଫୁଟ ଉଚ୍ଚର ବିରାଟ ପ୍ରତିମା ନିର୍ମାଣ କରାଯାଉଛି। ଏହାର ମୁଖ୍ୟ ଆକର୍ଷଣ ହେଉଛି ପ୍ରଭୁଙ୍କ ହାତ, ପାଦ ଏବଂ ତିଳକରେ ରୂପା ଅଳଙ୍କାର ଶୋଭା ପାଇବ। ଏହାସହ ଆକର୍ଷଣୀୟ ଏଲଇଡି (LED) ଆଲୋକ ସଜ୍ଜାରେ ପୂଜା ମଣ୍ଡପ ଝଟକିବ।
ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ (Eco-friendly) ଗଣେଶ ମୂର୍ତ୍ତି ଓ ପ୍ରାକୃତିକ ସାଜସଜ୍ଜା କରାଯାଉଛି। ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯିବା ସହ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।
୭ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଆୟୋଜନରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଓ ପୌରାଣିକ କାର୍ଯ୍ୟକ୍ରମ ରହିଛି:
  • ୧୪ ସେପ୍ଟେମ୍ବର: ସନ୍ଧ୍ୟା ୬ଟାରେ ମୁଖ ଦର୍ଶନ ଓ ୭ଟାରେ ସଂକୀର୍ତ୍ତନ।
  • ୧୫ ସେପ୍ଟେମ୍ବର: ସନ୍ଧ୍ୟା ୭ଟାରେ ଭଜନ ସମାରୋହ ଓ ପ୍ରସାଦ ସେବନ।
  • ୧୬ ସେପ୍ଟେମ୍ବର: ସନ୍ଧ୍ୟା ୭ଟାରେ ମେଲୋଡି ନାଇଟ୍।
  • ୧୭ ସେପ୍ଟେମ୍ବର: ସନ୍ଧ୍ୟା ୭ଟାରେ କୁନି ପିଲାଙ୍କ ନୃତ୍ୟ ପରିବେଷଣ ଓ ପ୍ରସାଦ ସେବନ।
  • ୧୮ ସେପ୍ଟେମ୍ବର: ସନ୍ଧ୍ୟା ୬ଟାରେ ପୂର୍ଣ୍ଣାହୁତି ଓ ୭ଟାରେ ମେଲୋଡି।
  • ୧୯ ସେପ୍ଟେମ୍ବର: ସନ୍ଧ୍ୟା ୭ଟାରେ ଡ୍ୟାନ୍ସ ପ୍ରୋଗ୍ରାମ।
  • ୨୦ ସେପ୍ଟେମ୍ବର: ସନ୍ଧ୍ୟା ୭ଟାରେ ଭାସାଣି (ବିସର୍ଜନ) ଓ ଲାଇଟ୍ ସୋ।
ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ୍‌ର ସହଯୋଗ ସହ ଅନୁଷ୍ଠାନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସମ୍ବାଦିକ ସମ୍ମିଳନୀରେ କ୍ଲବ୍ ସଭାପତି ସୌମ୍ୟରଞ୍ଜନ ପଣ୍ଡା, ସମ୍ପାଦକ ଅଜିତ୍ ବାରିକ, ଉପସଭାପତି ନୀଳକଣ୍ଠ ରଣସିଂହ ଓ ସହ-ସମ୍ପାଦକ ଅବ୍‌ଦୁଲ୍ ସାରୁଖାନ୍‌ଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶ୍ରଦ୍ଧାଳୁମାନେ ପରିବାର ସହ ଆସି ଗଣପତିଙ୍କ ଦର୍ଶନ ସହ ପ୍ରସାଦ ସେବନ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *