ମିଆମିରେ ରନୱେରୁ ଖସିପଡ଼ିଲା ମାଲବାହୀ ବିମାନ: ୫ ମୃତ, ୫ ଗୁରୁତର
ମିଆମି: ଆମେରିକାର ମିଆମି ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସାନ୍ ହୁଆନ୍ରୁ ଆସୁଥିବା ଆମାଜନ୍ ଏୟାର୍ର ଏକ ‘ବୋଇଂ ୭୬୭’ ମାଲବାହୀ ବିମାନ ଲ୍ୟାଣ୍ଡିଂ କରିବା ସମୟରେ ନିୟନ୍ତ୍ରଣ ହରାଇ ରନୱେରୁ ବାହାରକୁ ଚାଲିଯାଇଥିଲା। ଫଳରେ ବିମାନଟି ରନୱେ ବାହାରେ ଥିବା ରାସ୍ତାରେ ଯାଉଥିବା କେତେକ ବ୍ୟକ୍ତିଗତ ଗାଡ଼ିକୁ ପିଟିବା ସହ ନିଆଁ ଧରିଯାଇଥିଲା।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକରେ ଥିବା ସ୍ଥାନୀୟ ଲୋକ ବୋଲି ସନ୍ଦେହ କରାଯାଉଛି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରେ ବିମାନର ପାଇଲଟ୍ମାନେ ମଧ୍ୟ ସାମିଲ ଅଛନ୍ତି।
ଖବର ପାଇବା ପରେ ୬୦ରୁ ଅଧିକ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିମାନଟି ରନୱେରୁ କିଛି ମିଟର ଦୂରରେ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇ ପଡ଼ିରହିଥିବା ଏବଂ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ବିମାନ ଚଳାଚଳ ପ୍ରାଧିକରଣ (FAA) ଏବଂ NTSB ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।


