Big Relief for Pinaki Misra: Delhi High Court Quashes 2019 Criminal Defamation Case/ପିନାକୀ ମିଶ୍ରଙ୍କୁ ବଡ଼ ଆଶ୍ୱସ୍ତି: ମାନହାନି ମାମଲା ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ

ପିନାକୀ ମିଶ୍ରଙ୍କୁ ବଡ଼ ଆଶ୍ୱସ୍ତି: ମାନହାନି ମାମଲା ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ


ନୂଆଦିଲ୍ଲୀ: ସିନିୟର ଆଡଭୋକେଟ୍ ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୯ ମସିହାରୁ ତାଙ୍କ ବିରୋଧରେ ଚାଲିଥିବା ଏକ ଅପରାଧିକ ମାନହାନି ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।
ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପିନାକୀ ମିଶ୍ରଙ୍କ ବିରୋଧରେ ଆବଶ୍ୟକୀୟ ତଥ୍ୟ ଓ ପ୍ରମାଣର ଅଭାବ ରହିଛି। ଫଳରେ ଏହି ମାମଲାକୁ ଆଗକୁ ବଢ଼ାଇବା ନ୍ୟାୟସଙ୍ଗତ ହେବନାହିଁ।
ଘଟଣାଟି କ’ଣ ଥିଲା?
୨୦୧୮ରେ ଅଭିଯୋଗକାରୀ ବାର୍ କାଉନ୍ସିଲ୍ ଅଫ୍ ଦିଲ୍ଲୀରେ ପିନାକୀ ମିଶ୍ରଙ୍କ ବିରୋଧରେ ଏକ ଅଭିଯୋଗ ଆଣିଥିଲେ। ଏହାପରେ ଏକ ଅନଲାଇନ୍ ନ୍ୟୁଜ୍ ପୋର୍ଟାଲରେ ପିନାକୀ ମିଶ୍ର ଅଭିଯୋଗକାରୀଙ୍କୁ “ଠକ” (Crook) ଏବଂ “ବ୍ଲାକମେଲର” (Blackmailer) କହିଥିବା ନେଇ ୨୦୧୯ରେ ମାନହାନି ମାମଲା ଦାୟର ହୋଇଥିଲା।
କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ:
ପ୍ରମାଣର ଅଭାବ: କୋର୍ଟ କହିଛନ୍ତି ଯେ ଅଭିଯୋଗକାରୀ କେବଳ ନିଜେ ହିଁ ସାକ୍ଷୀ ଭାବେ ଉପସ୍ଥିତ ଥିଲେ। ତାଙ୍କ ସମ୍ମାନ ହାନି ହୋଇଛି ବୋଲି ପ୍ରମାଣିତ କରିବାକୁ ଅନ୍ୟ କୌଣସି ସାକ୍ଷୀ କିମ୍ବା ସ୍ୱତନ୍ତ୍ର ପ୍ରମାଣ ସେ ସାମ୍ନାକୁ ଆଣିପାରି ନାହାନ୍ତି।
ସାମ୍ବାଦିକଙ୍କ ବୟାନ ନାହିଁ: ଯେଉଁ ଖବର କାଗଜ କିମ୍ବା ୱେବସାଇଟରେ ଏହି ବକ୍ତବ୍ୟ ପ୍ରକାଶ ପାଇଥିଲା, ସେହି ସାମ୍ବାଦିକ କିମ୍ବା ସମ୍ପାଦକଙ୍କର କୌଣସି ବୟାନ ନିଆଯାଇ ନାହିଁ।
ସଫେଇ ଦେଇଥିଲେ ପିନାକୀ: ସେପଟେ ପିନାକୀ ମିଶ୍ର ପ୍ରାରମ୍ଭରୁ ହିଁ ଏପରି କୌଣସି ସାକ୍ଷାତକାର ଦେଇଥିବା କଥାକୁ ଅସ୍ୱୀକାର କରିଥିଲେ ଏବଂ ଏନେଇ ସମ୍ପାଦକଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ମଧ୍ୟ ମାଗିଥିଲେ।
ଏସବୁ ଦିଗକୁ ନଜରରେ ରଖି ହାଇକୋର୍ଟ ସମ୍ପୂର୍ଣ୍ଣ ମାମଲାକୁ ରଦ୍ଦ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *