‘ଏମିତି ବାହାନା ଚଳିବନି’: ଭୋଟ୍ ଗଣତି ଭିଡିଓ ହଜିଯିବା ନେଇ ନିର୍ବାଚନ କମିଶନଙ୍କୁ ତାଗିଦ୍ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କର୍ଣ୍ଣାଟକର ଶୃଙ୍ଗେରୀ ବିଧାନସଭା ଆସନର ୨୦୨୩ ଭୋଟ୍ ଗଣତି ଭିଡିଓ ହଜିଯାଇଛି ବୋଲି କମିଶନ କହିବା ପରେ, କୋର୍ଟ କହିଛନ୍ତି- “ଏଭଳି ବାହାନା ଆମେ ଗ୍ରହଣ କରିବୁ ନାହିଁ।”
ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ, ନିର୍ବାଚନର ସମସ୍ତ ରେକର୍ଡ ସୁରକ୍ଷିତ ରଖିବା କମିଶନଙ୍କ ମୂଳ କାମ। ଆସନ୍ତା ଶୁଣାଣି ସୁଦ୍ଧା ଯାହା ବି ରେକର୍ଡିଂ ଅଛି ତାହା ଦାଖଲ ନକଲେ କୋର୍ଟ କଠୋର ଆଇନଗତ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି।
ବିବାଦର କାରଣ:
୨୦୨୩ ନିର୍ବାଚନରେ ଏହି ଆସନରୁ କଂଗ୍ରେସର ଟି.ଡି. ରାଜେଗୌଡ଼ା ମାତ୍ର ୨୦୧ ଭୋଟରେ ବିଜେପିର ଡି.ଏନ୍. ଜୀବରାଜଙ୍କୁ ହରାଇଥିଲେ। ବିଜେପି ନେତାଙ୍କ ଆବେଦନ କ୍ରମେ ହାଇକୋର୍ଟ ପୋଷ୍ଟାଲ ବାଲାଟ୍ର ପୁନଃଗଣତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁନଃଗଣତି ପରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।
ଏହି ପ୍ରକ୍ରିୟାରେ ଗଡ଼ବଡ଼ ହୋଇଥିବା ଅଭିଯୋଗ କରି କଂଗ୍ରେସ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମୂଳ ଗଣତି ଓ ପୁନଃଗଣତିର ଭିଡିଓ ମାଗିଥିବା ବେଳେ, ନିର୍ବାଚନ କମିଶନ ତାହା ହଜିଯାଇଥିବା କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫, ୨୦୨୭ରେ ହେବ।



