ନିଟ୍ ପେପର ଲିକ୍ ବିବାଦ: ଇସ୍ତଫା ପରେ ପ୍ରଥମ ଥର ମୁହଁ ଖୋଲିଲେ ଧର୍ମେନ୍ଦ୍ର, କହିଲେ— “Gen-Zଙ୍କୁ ବିଭ୍ରାନ୍ତ କରିବାକୁ ହୋଇଥିଲା ଉଦ୍ୟମ”
ସମ୍ବଲପୁର:ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦୁଇ ସପ୍ତାହ ପରେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା তথা ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଗସ୍ତ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆନ୍ଦୋଳନ ସମୟରେ ଦେଶର ଯୁବପିଢ଼ି (Gen Z)ଙ୍କୁ କିଛି ଗୋଷ୍ଠୀ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ।
ନିଜ ଇସ୍ତଫା ଓ Gen-Zକୁ ନେଇ କ’ଣ କହିଲେ ଧର୍ମେନ୍ଦ୍ର?
ଯୁବପିଢ଼ିଙ୍କ ଆଶା-ଆକାଂକ୍ଷାର ଆଦର: ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ଦେଶରେ ପ୍ରତିବର୍ଷ ପ୍ରାୟ ୨ କୋଟି ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଏହି ଯୁବପିଢ଼ି ହିଁ ଭାରତକୁ ବିଶ୍ୱଗୁରୁ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେମାନଙ୍କର ଆଶା, ଆକାଂକ୍ଷା ଏବଂ ସ୍ୱପ୍ନକୁ ବୁଝିବା ଓ ସମ୍ମାନ ଦେବା ଆମର କର୍ତ୍ତବ୍ୟ”।ଆନ୍ଦୋଳନ ସମୟରେ ଯୁବ ବର୍ଗଙ୍କୁ କିଛି ସ୍ୱାର୍ଥାନ୍ୱେଷୀ ମହଲ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।ସେ ସ୍ପଷ୍ଟ କରିଛନ୍ତି ଯେ, ମନ୍ତ୍ରୀ ପଦବୀ ତାଙ୍କ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନଥିଲା। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଏବଂ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ।
ଓଡ଼ିଶା ରାଜନୀତିରେ ଚର୍ଚ୍ଚା
ସମ୍ବଲପୁର ଓ ରେଢ଼ାଖୋଲ ଗସ୍ତ ସମୟରେ ବିରୋଧୀ ଦଳଗୁଡ଼ିକର ବିରୋଧ ପ୍ରଦର୍ଶନକୁ ନେଇ ମଧ୍ୟ ସେ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ ସେ ଜଣେ “କୃଷକର ପୁଅ”। ସେ ଏପରି କୌଣସି କାର୍ଯ୍ୟ କରିନାହାନ୍ତି ଯାହା ଓଡ଼ିଶାର ସ୍ୱାଭିମାନକୁ ଆଘାତ ପହଞ୍ଚାଇବ।
ଅପରପକ୍ଷରେ, ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟ ପରେ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ନିଟ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଯୋଗୁଁ ହିଁ ଦେଶସାରା ଅସନ୍ତୋଷ ସୃଷ୍ଟି ହୋଇଥିଲା।

