ଅମରାବତୀ ହସ୍ପିଟାଲ୍ର NICUରେ ଭୟଙ୍କର ଅଗ୍ନିକାଣ୍ଡ: ଭେଣ୍ଟିଲେଟର୍ ବିସ୍ଫୋରଣ ଯୋଗୁଁ ୩ ନବଜାତକ ମୃତ, ୬ ଗୁରୁତର
ଅମରାବତୀ:
ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲ୍ର ନବଜାତ ଶିଶୁ ସୂକ୍ଷ୍ମ ଯତ୍ନ ବିଭାଗ (NICU)ରେ ସୋମବାର ଭୋର ସମୟରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି। NICUରେ ଥିବା ଏକ ଭେଣ୍ଟିଲେଟର୍ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯିବା ଫଳରେ ୩ ଜଣ ନବଜାତ ଶିଶୁଙ୍କର ସୋଚନୀୟ ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନ୍ୟ ୬ ଜଣ ଶିଶୁ ଗୁରୁତର ଭାବେ ଆହାତ ହୋଇଛନ୍ତି।
ସୂଚନା ଅନୁସାରେ, ସୋମବାର ଭୋର ପ୍ରାୟ ୩.୩୦ ମିନିଟ୍ ସମୟରେ ହସ୍ପିଟାଲ୍ର ତୃତୀୟ ମହଲାରେ ଥିବା NICU ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୱାର୍ଡ ଭିତରେ ରଖାଯାଇଥିବା ଏକ ଭେଣ୍ଟିଲେଟର୍ରେ ସର୍ଟ ସର୍କିଟ୍ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରବଳ ବିସ୍ଫୋରଣ ହୋଇ ନିଆଁ ବ୍ୟାପିଯାଇଥିଲା।
ଦୁର୍ଘଟଣା ସମୟରେ NICU ୱାର୍ଡରେ ପ୍ରାୟ ୩୯ ଜଣ ନବଜାତକ ଚିକିତ୍ସିତ ହେଉଥିଲେ। ନିଆଁ ଲାଗିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ନିଜ ଜୀବନକୁ ବାଜି ଲଗାଇ ଅଧିକାଂଶ ଶିଶୁଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଆଣିଥିଲେ।
ତେବେ ଦୁର୍ଭାଗ୍ୟବଶତଃ ୩ ଜଣ ନବଜାତକ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ଅନ୍ୟ ୬ ଜଣ ଗୁରୁତର ଶିଶୁଙ୍କୁ ତୁରନ୍ତ ଅଧିକ ଚିକିତ୍ସା ପାଇଁ ନିକଟସ୍ଥ ସୁପର ସ୍ପେଶାଲିଟି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ହସ୍ପିଟାଲ୍ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଭେଣ୍ଟିଲେଟର୍ ବିସ୍ଫୋରଣର ପ୍ରକୃତ କାରଣ ଏବଂ ହସ୍ପିଟାଲ୍ର ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାରେ କୌଣସି ଗାଫିଲତି ଥିଲା କି ନାହିଁ, ସେ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି।

