UN Flags Police Excesses Against Protesters & Women; India Denies Allegations, Cites Rule of Law/ଯୁବବର୍ଗ ଓ ଛାତ୍ର ଆନ୍ଦୋଳନ ଉପରେ କଟକଣା: ଜାତିସଂଘ ବିଶେଷଜ୍ଞଙ୍କ ନିନ୍ଦା, ଅଭିଯୋଗକୁ ଅସତ୍ୟ କହିଲା ଭାରତ

ବିରୋଧୀ ସ୍ୱର ଦବାଇବା ଅଭିଯୋଗ: ଆନ୍ଦୋଳନକାରୀ ଓ ମହିଳାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତିସଂଘ ବିଶେଷଜ୍ଞଙ୍କ ନିନ୍ଦା, ଭାରତର ପକ୍ଷରୁ କଡ଼ା ଜବାବ

ନୂଆଦିଲ୍ଲୀ: ଭାରତରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ଯୁବବର୍ଗ ଓ ବିରୋଧୀ ସ୍ୱରକୁ ଦବାଇବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ଜାତିସଂଘ (UN) ର ସ୍ୱାଧୀନ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଗଣତାନ୍ତ୍ରିକ ଅଧିକାର ଓ ସାଧାରଣ ନାଗରିକଙ୍କ ଆବାଜକୁ ସଙ୍କୁଚିତ କରାଯାଉଥିବା ନେଇ ପ୍ରାୟ ୨୪ ରୁ ୨୫ ଜଣ ଜାତିସଂଘ ବିଶେଷଜ୍ଞ ମିଳିତ ଭାବେ ଏକ ବିବୃତ୍ତି ଜାରି କରି ଏହାର କଡ଼ା ନିନ୍ଦା କରିଛନ୍ତି।

ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ନିକଟରେ ବିଭିନ୍ନ ଦାବି ନେଇ ରାଜପଥକୁ ଓହ୍ଲାଇଥିବା ଛାତ୍ର, ଯୁବକ ଓ ମହିଳା ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ମାତ୍ରାଧିକ ବଳପ୍ରୟୋଗ କରିଛି। ଲାଠିଚାର୍ଜ, ବେଆଇନ ଭାବେ ଅଟକ ରଖିବା ଏବଂ ଗିରଫଦାରୀ ଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷକରି ଆନ୍ଦୋଳନକାରୀ ମହିଳା ଓ ଯୁବତୀମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଓ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଜାତିସଂଘର ମାନବାଧିକାର କମିଶନ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ସହିତ, ଶାନ୍ତିପୂର୍ଣ୍ଣ ସଭା-ସମିତି କରିବାର ଅଧିକାରକୁ ରୋକିବା ପାଇଁ ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ଏବଂ ବ୍ୟାପକ କଟକଣା ଲଗାଯାଉଥିବା ନେଇ ମଧ୍ୟ ଦର୍ଶାଯାଇଛି। ଏହି ସମସ୍ତ ଘଟଣାର ଏକ ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ କରିବାକୁ ଜାତିସଂଘର ବିଶେଷଜ୍ଞ ଟିମ୍ ଦାବି କରିଛନ୍ତି।

ଭାରତ ସରକାରଙ୍କ କଡ଼ା ପ୍ରତିକ୍ରିୟା: ଅନ୍ୟପଟେ ଜାତିସଂଘର ଏହି ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଖାରଜ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତରେ ସମ୍ବିଧାନ ଅନୁଯାୟୀ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ବିରୋଧର ପୂର୍ଣ୍ଣ ଗଣତାନ୍ତ୍ରିକ ଅଧିକାର ରହିଛି। ଜାତିସଂଘର ଏହି ବୟାନ କେବଳ କିଛି ଗୋଷ୍ଠୀଙ୍କ ଭ୍ରାନ୍ତିକର, ଅସତ୍ୟ ଓ ଅଯାଞ୍ଚିତ ତଥ୍ୟ ଉପରେ ଆଧାରିତ ଏବଂ ଏହା ଭାରତର ଆଭ୍ୟନ୍ତରୀଣ ମାମଲାରେ ଏକ ଅନାବଶ୍ୟକ ହସ୍ତକ୍ଷେପ ବୋଲି ସରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଇନ ଶୃଙ୍ଖଳା ରକ୍ଷା ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଶାସନ ନିୟମ ଅନୁସାରେ ପଦକ୍ଷେପ ନେଇଥାଏ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *