ଭାରତୀୟ ମହିଳା ହକିରେ ନୂଆ ଇତିହାସ: ଭାଙ୍ଗିଲା ସବୁ ରେକର୍ଡ, ସବୁଠୁ ଆଗରେ ସବିତା
ଖେଳ ଖବର: ଭାରତୀୟ ମହିଳା ହକି ଦଳର ଅଭିଜ୍ଞ ଗୋଲକିପର ସବିତା ପୁନିଆ ଏକ ନୂଆ ଏବଂ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ଭାରତୀୟ ମହିଳା ହକି ଇତିହାସରେ ସବୁଠାରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଖେଳାଳି ବନିଯାଇଛନ୍ତି।
ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ୍ରେ ଓହ୍ଲାଇବା ସହ ସବିତା ଏହି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ପୂର୍ବତନ ଷ୍ଟ୍ରାଇକର ବନ୍ଦନା କାତାରିୟାଙ୍କ ନାଁରେ ଥିଲା, ଯିଏ ୩୨୦ଟି ମ୍ୟାଚ୍ ଖେଳିଥିଲେ। ସବିତା ଏବେ ତାଙ୍କୁ ପଛରେ ପକାଇ ୩୨୧ଟି ମ୍ୟାଚ୍ ସହ ଶୀର୍ଷରେ ପହଞ୍ଚିଛନ୍ତି।
ହକି ପ୍ରେମୀଙ୍କ ଗହଣରେ ‘ଦି ୱାଲ୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ୩୬ ବର୍ଷୀୟା ସବିତା ୨୦୦୯ ମସିହାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଗତ ୧୭ ବର୍ଷ ଧରି ସେ ଭାରତୀୟ ଦଳର ମୁଖ୍ୟ ପ୍ରାଚୀର ଭାବେ ଠିଆ ହୋଇଆସିଛନ୍ତି। ତିନୋଟି ଓଲିମ୍ପିକ୍ସ, ଏସୀୟ କ୍ରୀଡ଼ା ଏବଂ ରାଜ୍ୟକୋଷ୍ଠ କ୍ରୀଡ଼ାରେ ଭାରତ ପାଇଁ ସେ ଅନେକ ଅବିସ୍ମରଣୀୟ ବିଜୟ ଭେଟି ଦେଇଛନ୍ତି।
ଏହି ସଫଳତା ପାଇଁ ହକି ଇଣ୍ଡିଆ ପକ୍ଷରୁ ସବିତାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।
ଏହି ମାଇଲଖୁଣ୍ଟ ଛୁଇଁବା ପରେ ଭାବବିହ୍ୱଳ ହୋଇ ସବିତା କହିଛନ୍ତି, “ମୁଁ ଯେତେବେଳେ ହକି ଖେଳିବା ଆରମ୍ଭ କରିଥିଲି, କେବେ ଭାବି ନଥିଲି ଯେ ଦିନେ ଏତେ ବଡ଼ ରେକର୍ଡ ମୋ ନାଁରେ ହେବ। ଏହି ସଫଳତା କେବଳ ମୋର ନୁହେଁ, ମୋ ସହ ଖେଳିଥିବା ସମସ୍ତ ସାଥୀ ଖେଳାଳି ଏବଂ ବନ୍ଦନାଙ୍କର। ସେ ଆମ ପାଇଁ ଲକ୍ଷ୍ୟ ସ୍ଥିର କରିଥିଲେ।”
ତିନିଥର ‘ଏଫ୍ଆଇଏଚ୍ ବର୍ଷର ଶ୍ରେଷ୍ଠ ଗୋଲକିପର’ ସମ୍ମାନ, ଅର୍ଜୁନ ପୁରସ୍କାର ଏବଂ ପଦ୍ମଶ୍ରୀ ପାଇଥିବା ସବିତାଙ୍କର ଏହି ଯାତ୍ରା ଆଗାମୀ ପିଢ଼ିର କ୍ରୀଡ଼ାବିତ୍ଙ୍କ ପାଇଁ ଏକ ବଡ଼ ପ୍ରେରଣା।


