Standard DPDP ଆଇନକୁ ନେଇ କେନ୍ଦ୍ରକୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍, ରୋକ୍ ଲଗାଇବାକୁ ମନା
ନୂଆଦିଲ୍ଲୀ: digital personal data protection (DPDP) ଆଇନକୁ ନେଇ ଗଣମାଧ୍ୟମ କ୍ଷେତ୍ରରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ନୂଆ ଡାଟା ସୁରକ୍ଷା ନିୟମ ସାମ୍ବାଦିକତାର ସ୍ୱାଧୀନତା ଓ ସୂଚନା ଅଧିକାର (RTI) ଉପରେ ପ୍ରତିବନ୍ଧକ ଲଗାଉଥିବା ଅଭିଯୋଗ କରି ‘ଡିଜିଟାଲ୍ ନ୍ୟୁଜ୍ ପବ୍ଲିସର୍ସ ଆସୋସିଏସନ୍’ (DNPA) ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି।
ତେବେ ଏହି ଆବେଦନ ଉପରେ ବିଚାର କରିବା ବେଳେ ଆଦାଲତ ବର୍ତ୍ତମାନ ପାଇଁ ଏହି ଆଇନ କିମ୍ବା ଏହାର ନିୟମାବଳୀ ଉପରେ କୌଣସି ଅନ୍ତରୀଣ ରୋକ୍ (Stay) ଲଗାଇବାକୁ ସିଧାସଳଖ ମନା କରିଦେଇଛନ୍ତି।
ଖବର ପ୍ରକାଶକ ସଂସ୍ଥାଗୁଡ଼ିକର କହିବା କଥା ହେଉଛି, ବିଦେଶରେ ଡାଟା ପ୍ରାଇଭେସି ନିୟମରେ ସାମ୍ବାଦିକତା ପାଇଁ କିଛି ନିର୍ଦ୍ଦିଷ୍ଟ ଛାଡ଼ ବା ରିହାତି ରହିଥାଏ। ହେଲେ ଭାରତର DPDP ଆଇନରେ ଏପରି କୌଣସି ବ୍ୟବସ୍ଥା ନଥିବାରୁ ଅନୁସନ୍ଧାନମୂଳକ ସାମ୍ବାଦିକତା (Investigative Journalism) ଓ ଗୁପ୍ତ ସୂତ୍ରରୁ ଖବର ସଂଗ୍ରହ କରିବା ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବ।
ସୁପ୍ରିମ୍ କୋର୍ଟ ଏହି ମାମଲାକୁ ପୂର୍ବରୁ ବିଚାରାଧୀନ ଥିବା ଅନ୍ୟ ସମାନ ଆବେଦନଗୁଡ଼ିକ ସହ ଯୋଡ଼ି ଆଗାମୀ ନଭେମ୍ବର ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।



