ରୁଷିଆରେ ଗବେଷକଙ୍କ ମୃତ୍ୟୁ ପରେ ‘ପ୍ଲେଗ୍’ ଭୟ: ପୁଣି କୋଭିଡ୍ ଭଳି ମହାମାରୀ ହେବ କି? ଜାଣନ୍ତୁ ବିଶେଷଜ୍ଞଙ୍କ ମତ
ନୂଆଦିଲ୍ଲୀ / ମସ୍କୋ:
ରୁଷିଆର ସାଇବେରିଆ ସ୍ଥିତ ‘ଇରକୁଟସ୍କ ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ର ଜଣେ ୨୮ ବର୍ଷୀୟା ମହିଳା ଗବେଷିକା ଦାରିଆ ସିପିଲୋଭାଙ୍କ ମୃତ୍ୟୁ ପରେ ବିଶ୍ୱବ୍ୟାପୀ ପୁଣି ଏକ ନୂଆ ମହାମାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି| ଲ୍ୟାବ୍ରେ ଗବେଷଣା ସମୟରେ ଟେଷ୍ଟ-ଟ୍ୟୁବ୍ ଭାଙ୍ଗି ସେ ନ୍ୟୁମୋନିକ ପ୍ଲେଗ୍ (Pneumonic Plague) ବ୍ୟାକ୍ଟେରିଆ ସଂସର୍ଗରେ ଆସିଥିବା ନେଇ ଦାବି ହେଉଥିବା ବେଳେ ପ୍ରଶାସନ ପ୍ରାୟ ୨୦୦ ଜଣଙ୍କୁ କ୍ୱାରେଣ୍ଟିନ୍ରେ ରଖିଛି|
ତେବେ ଏହି ଘଟଣା ପରେ “କୋଭିଡ୍-୧୯ ଭଳି ପୁଣି ଏକ ବିଶ୍ୱବ୍ୟାପୀ ମହାମାରୀ ବ୍ୟାପିବ କି?” ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି |
ଏହା ମହାମାରୀର ରୂପ ନେବାର ଆଶଙ୍କା କେତେ?
ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ (WHO) ର ମତ ଅନୁଯାୟୀ, ଏହା କୋଭିଡ୍ ଭଳି ବିଶ୍ୱବ୍ୟାପୀ ମହାମାରୀ (Pandemic) ହେବାର ସମ୍ଭାବନା ଅତ୍ୟନ୍ତ କମ୍ |
ବିଶେଷଜ୍ଞମାନେ କାହିଁକି ଚିନ୍ତାମୁକ୍ତ ରହିବାକୁ କହୁଛନ୍ତି?
-
ଏହା ଭୂତାଣୁ ନୁହେଁ, ଜୀବାଣୁ (Bacterial Infection):କୋଭିଡ୍-୧୯ ଏକ ନୂଆ ଭୂତାଣୁ (Virus) ଥିଲା, ଯାହାର ତୁରନ୍ତ ଚିକିତ୍ସା ନଥିଲା | କିନ୍ତୁ ନ୍ୟୁମୋନିକ ପ୍ଲେଗ୍ Yersinia pestis ନାମକ ଜୀବାଣୁ ଦ୍ୱାରା ହୋଇଥାଏ| ସାଧାରଣ ଆଣ୍ଟିବାୟୋଟିକ୍ (Antibiotics) ଔଷଧ ଦ୍ୱାରା ଏହା ସହଜରେ ଭଲ ହୋଇପାରିବ |
-
ସଂକ୍ରମଣ ଶୀଘ୍ର ବ୍ୟାପେ ନାହିଁ:କୋଭିଡ୍ ଭଳି ଏହା ପବନରେ ଦୂର ପର୍ଯ୍ୟନ୍ତ ବ୍ୟାପି ନଥାଏ | ବହୁତ ପାଖାପାଖି ସମ୍ପର୍କରେ ଆସିଲେ କିମ୍ବା ରୋଗୀର କାଶ/ଛିଙ୍କରୁ ନିର୍ଗତ ବିନ୍ଦୁ (Droplets) ସଂସର୍ଗରେ ଆସିଲେ ହିଁ ଏହା ବ୍ୟାପିଥାଏ |
-
ଲକ୍ଷଣ ଶୀଘ୍ର ପ୍ରକାଶ ପାଏ:ରୋଗୀ ସଂକ୍ରମିତ ହେବାର ୧ ରୁ ୩ ଦିନ ମଧ୍ୟରେ ପ୍ରବଳ ଜ୍ୱର, ଛାତି ପୋଡ଼ା ଓ କାଶ ଭଳି ଗମ୍ଭୀର ଲକ୍ଷଣ ଦେଖାଯାଏ | ଫଳରେ ରୋଗୀ ଅନ୍ୟମାନଙ୍କୁ ସଂକ୍ରମିତ କରିବା ପୂର୍ବରୁ ସହଜରେ ଚିହ୍ନଟ ହୋଇ ହସ୍ପିଟାଲରେ ଭୁର୍ତ୍ତି ହୋଇଯାଏ |
ବର୍ତ୍ତମାନର ସ୍ଥିତି:
ରୁଷିଆର ସ୍ୱାସ୍ଥ୍ୟ ସଂସ୍ଥା ‘Rospotrebnadzor’ ଅନୁସାରେ, ସଙ୍କ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ଟେଷ୍ଟ ନେଗେଟିଭ୍ ଆସିଛି ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି| ତେଣୁ ଏହାକୁ ନେଇ ଆତଙ୍କିତ ହେବାର କୌଣସି ପ୍ରତ୍ୟକ୍ଷ କାରଣ ନାହିଁ |



