ରଣଜୀ ଡେବ୍ୟୁରେ କମାଲ କଲେ ଓଡ଼ିଶାର ଯୁବ ବୋଲର ସୌମ୍ୟ ରଞ୍ଜନ ଲେଙ୍କା; ପ୍ରଥମ ମ୍ୟାଚ୍ରେ କଲେ ଦମଦାର ପ୍ରଦର୍ଶନ
ତିରୁଅନନ୍ତପୁରମ: ରଣଜୀ ଟ୍ରଫିରେ ଓଡ଼ିଶା ପାଇଁ ଏକ ବଡ଼ ସକରାତ୍ଫକ ଖବର ସାମ୍ନାକୁ ଆସିଛି। କେରଳ ବିପକ୍ଷ ଚଳିତ ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ଡେବ୍ୟୁ କରିଥିବା ଯୁବ ବୋଲର ସୌମ୍ୟ ରଞ୍ଜନ ଲେଙ୍କା ନିଜର ପ୍ରଥମ ମ୍ୟାଚ୍ରେ ପ୍ରଭାବଶାଳୀ ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏହି ମ୍ୟାଚ୍ରେ ୨ଟି ମହତ୍ତ୍ୱପୂର୍ଣ୍ଣ ୱିକେଟ୍ ହାତେଇ ଦଳକୁ ଆଶ୍ୱସ୍ତି ଦେଇଛନ୍ତି।
ମ୍ୟାଚ୍ର ପ୍ରଥମ ଦିନରେ ଓଡ଼ିଶା ବୋଲରମାନେ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରି କେରଳର ଶୀର୍ଷ ବ୍ୟାଟିଂକୁ ଭାଙ୍ଗି ଦେଇଥିଲେ। ମାତ୍ର ୫୮ ରନ୍ରେ କେରଳର ୪ଟି ୱିକେଟ୍ ପଡ଼ିଯିବା ପରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ସଚିନ ବେବି ଦଳର ସ୍ଥିତି ସମ୍ଭାଳିଥିଲେ। ତେବେ ଇନିଂସର ଶେଷଭାଗରେ ଡେବ୍ୟୁଟାଣ୍ଟ ସୌମ୍ୟ ରଞ୍ଜନ ଲେଙ୍କା ନିଜର ଘାତକ ବୋଲିଂ ବଳରେ ବିପଜ୍ଜନକ ସଚିନ ବେବିଙ୍କୁ (୧୧୨ ରନ୍) ଆଉଟ୍ କରି ଓଡ଼ିଶାକୁ ବଡ଼ ସଫଳତା ଦେଇଥିଲେ।
ପ୍ରଥମ ମ୍ୟାଚ୍ରେ ହିଁ ଚାପର ମୁହୂର୍ତ୍ତରେ ଏଭଳି ସଂଘର୍ଷପୂର୍ଣ୍ଣ ପ୍ରଦର୍ଶନ କରିବା ସୌମ୍ୟଙ୍କ କ୍ୟାରିୟର ପାଇଁ ଏକ ବଡ଼ ଆରମ୍ଭ ବୋଲି କୁହାଯାଉଛି। କ୍ରିକେଟ୍ପ୍ରେମୀମାନେ ଏବେ ଏହି ଯୁବ ପ୍ରତିଭାଙ୍କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି।



