Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Puttaparthi Celebrates Jagannath Rath Yatra with Full Rituals and Festivities/ପ୍ରଶାନ୍ତି ନିଳୟମରେ ଗୁଞ୍ଜିଲା ‘ଜୟ ଜଗନ୍ନାଥ’, ଭକ୍ତିମୟ ପରିବେଶରେ ରଥଯାତ୍ରା…

Click on the photo to view the gallery

 

ପୁଟପର୍ଥୀରେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ପୁଟପର୍ଥୀ: ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମଭୂମି ପୁଟପର୍ଥୀରେ ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଗତ ୧୪ ବର୍ଷ ଧରି ଏଠାରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ, ଏବର୍ଷ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ବିଧିବିଧାନ ଓ ପାରମ୍ପରିକ ରୀତିନୀତି ଅନୁସାରେ ଭବ୍ୟ ଆକାରରେ ଏହାର ଆୟୋଜନ କରାଯାଇଥିଲା।

ପୂର୍ବରୁ କିଛି ଓଡ଼ିଆ ସାଇ ଭକ୍ତଙ୍କ ଉଦ୍ୟମରେ ଛୋଟ ପରିସରରେ ଆରମ୍ଭ ହୋଇଥିବା ଏହି ରଥଯାତ୍ରା ବର୍ତ୍ତମାନ ଏକ ପୂର୍ଣ୍ଣାଙ୍ଗ ଧାର୍ମିକ ମହୋତ୍ସବରେ ପରିଣତ ହୋଇଛି। ସ୍ଥାନୀୟ ଲୋକଙ୍କ ସହ ଓଡ଼ିଶାର ଭକ୍ତମାନେ ମିଳିତ ଭାବେ ଏହି ପରମ୍ପରାକୁ ଆଗେଇ ନେଉଛନ୍ତି।

ଆୟୋଜକମାନଙ୍କ କହିବା ଅନୁଯାୟୀ, ଶ୍ରୀ ସତ୍ୟସାଇ ବାବା ନିଜ ଜନ୍ମର ୧୪ ବର୍ଷ ପରେ ନିଜକୁ ଅବତାର ଭାବେ ଘୋଷଣା କରିଥିଲେ। ସେହି ଭାବଧାରାକୁ ସ୍ମରଣ କରି ଏବର୍ଷ ୧୪ତମ ବର୍ଷରେ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବିଧିବିଧାନ ସହ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ କରାଯାଇଛି।

ରଥଯାତ୍ରା ଦିନ ପୁଟପର୍ଥୀର ଗୋପୁରମରୁ ଶ୍ରୀଜଗଡ଼ମ୍ବା ଦୁର୍ଗାମାତା ମନ୍ଦିର ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପାରମ୍ପରିକ ପହଣ୍ଡି ବିଜେ ମାଧ୍ୟମରେ ରଥାରୂଢ଼ କରାଯାଇଥିଲା। ଏହି ଅବସରରେ ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟର ଟ୍ରଷ୍ଟି ଆର୍.ଜେ. ରତ୍ନାକର ରଥରେ ଛେରା ପହଁରା କରିଥିଲେ। ପରେ ଭକ୍ତମାନେ ଭକ୍ତିଭାବର ସହ ରଥକୁ ପ୍ରଶାନ୍ତି ନିଳୟମର ମୁଖ୍ୟ ରାସ୍ତା ଦେଇ ଟାଣି ନେଇଥିଲେ।

ଏହି ଭବ୍ୟ ରଥଯାତ୍ରାକୁ ଦେଖିବା ପାଇଁ ପୁଟପର୍ଥୀ ଓ ଏହାର ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ରଥ ଶ୍ରୀଜଗଡ଼ମ୍ବା ଦୁର୍ଗାମାତା ମନ୍ଦିରରେ ପହଞ୍ଚିବା ପରେ ନଅ ଦିନ ଧରି ପାରମ୍ପରିକ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଦିନ ପ୍ରାୟ ୫୦୦ ଜଣ ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହାସହ ନଅ ଦିନ ଧରି ଭଜନ, ପ୍ରବଚନ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବାହୁଡ଼ା ଯାତ୍ରା ଦିନ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସମସ୍ତ ପାରମ୍ପରିକ ନୀତିକାନ୍ତି ପାଳନ କରାଯାଇଥିଲା। ପହଣ୍ଡି ବିଜେ ପରେ ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶ୍ରୀ ରାମେଶ୍ୱର ପୁଷ୍ଟିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ତାଙ୍କ ସହଯୋଗୀ, ସ୍ଥାନୀୟ ଓଡ଼ିଶାର ସାଇ ଭକ୍ତ ଏବଂ ପୁଟପର୍ଥୀର ଅନେକ ସ୍ଥାନୀୟ ବାସିନ୍ଦା ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ।ଏହି ରଥଯାତ୍ରା ରେ ଭଗନବା ପାଇଁ ଓଡ଼ିଆ ରୁ ଅନେକ ଭକ୍ତ ମଧ୍ୟ ଆସିଥିଲେ.

Leave a Reply

Your email address will not be published. Required fields are marked *