ଜାନୁଆରୀ ୧ରୁ ବଦଳିବ ହ୍ୱାଟ୍ସଆପ୍ ବ୍ୟବହାର ନିୟମ; ବିନା ସିମ୍ରେ ଆଉ ଚାଲିବନି ମେସେଜିଂ ଆପ୍?
ଆସନ୍ତା ନୂଆ ବର୍ଷରୁ ଦେଶରେ ହ୍ୱାଟ୍ସଆପ୍ (WhatsApp), ଟେଲିଗ୍ରାମ (Telegram) ଭଳି ଜନପ୍ରିୟ ମେସେଜିଂ ଆପ୍ ବ୍ୟବହାର କରିବା ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ଟେଲିକମ୍ୟୁନିକେସନ୍ ବିଭାଗ (DoT) ପକ୍ଷରୁ ଜାରି କରାଯାଇଥିବା କଡ଼ା ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ଡିସେମ୍ବର ୩୧, ୨୦୨୬ ମଧ୍ୟରେ ସମସ୍ତ କମ୍ପାନୀଙ୍କୁ ‘ସିମ୍ ବାଇଣ୍ଡିଂ’ (SIM Binding) ନିୟମ ଲାଗୁ କରିବାକୁ ପଡ଼ିବ। ଏହାର ପ୍ରଭାବ ଜାନୁଆରୀ ୧, ୨୦୨୭ରୁ ସିଧାସଳଖ ଦେଖିବାକୁ ମିଳିବ।
କ’ଣ ଏହି ‘ସିମ୍ ବାଇଣ୍ଡିଂ’ ନିୟମ?ସାଧାରଣତଃ ଅନେକ ଲୋକ ନିଜର ମୋବାଇଲ୍ ନମ୍ବର ଦେଇ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ଖୋଲିବା ପରେ ଫୋନ୍ରୁ ସିମ୍ କାର୍ଡ ବାହାର କରି କେବଳ ୱାଇ-ଫାଇ (Wi-Fi) ଜରିଆରେ ଆପ୍ ଚଳାଇଥା’ନ୍ତି। କିନ୍ତୁ ନୂଆ ନିୟମ ଆସିବା ପରେ ଏହା ଆଉ ସମ୍ଭବ ହେବ ନାହିଁ। ‘ସିମ୍ ବାଇଣ୍ଡିଂ’ ଅନୁଯାୟୀ, ଆପଣ ଯେଉଁ ନମ୍ବରରେ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମ ଚଲାଉଛନ୍ତି, ସେହି କେୱାଇସି (KYC) ଯାଞ୍ଚ ହୋଇଥିବା ଅସଲି ସିମ୍ କାର୍ଡଟି ସେହି ମୋବାଇଲ୍ ଫୋନ୍ ଭିତରେ ସକ୍ରିୟ ରହିବା ବାଧ୍ୟାତ୍ମକ ଅଟେ। ଯଦି ଫୋନ୍ରୁ ସିମ୍ କାଢିଦିଆଯାଏ କିମ୍ବା ଅନ୍ୟତ୍ର ବ୍ୟବହାର କରାଯାଏ, ତେବେ ସେହି ଫୋନ୍ରେ ଆପ୍ କାମ କରିବା ବନ୍ଦ ହୋଇଯାଇପାରେ।
କାହାକୁ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ?
-
ଯେଉଁମାନେ ଗୋଟିଏ ନମ୍ବରରେ ଆପ୍ ଇନଷ୍ଟଲ୍ କରି ସିମ୍ ବାହାର କରିଦେଇ କେବଳ ୱାଇ-ଫାଇରେ ଫୋନ୍ ଚଲାଉଛନ୍ତି।
-
ଯେଉଁମାନେ ବାରମ୍ବାର ମୋବାଇଲ୍ ଫୋନ୍ ବଦଳାନ୍ତି କିମ୍ବା ଗୋଟିଏ ସିମ୍କୁ ଅଲଗା ଅଲଗା ଡିଭାଇସରେ ବ୍ୟବହାର କରନ୍ତି।
ସରକାର କାହିଁକି ଏହି ପଦକ୍ଷେପ ନେଲେ? ଦେଶରେ ଦିନକୁ ଦିନ ବଢ଼ିଚାଲିଛି ସାଇବର ଠକ୍କି ଏବଂ ଜାଲିଆତି। ଅନେକ ଠକ ବିଦେଶୀ କିମ୍ବା ଅସ୍ଥାୟୀ ସିମ୍ ଜରିଆରେ ଓଟିପି (OTP) ନେଇ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ଖୋଲିଥା’ନ୍ତି ଏବଂ ପରେ ସିମ୍ କାଢି କେବଳ ଇଣ୍ଟରମାଧ୍ୟମରେ ଲୋକଙ୍କୁ ଠକିଥା’ନ୍ତି। ଏହି ଫେକ୍ ଆକାଉଣ୍ଟଗୁଡ଼ିକୁ ରୋକିବା ଏବଂ ସୁରକ୍ଷା ବ୍ୟବହାରକୁ କଡ଼ାକଡ଼ି କରିବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
ତେଣୁ ଆପଣ ଯଦି ଏପର୍ଯ୍ୟନ୍ତ ଏଭଳି କରୁଛନ୍ତି, ତେବେ ଆଗକୁ ସମସ୍ୟାରେ ପଡ଼ିବାରୁ ବର୍ତ୍ତିବା ପାଇଁ ନିଜର ଅସଲି ସିମ୍ କାର୍ଡକୁ ମେନ୍ ଫୋନ୍ ଭିତରେ ସବୁବେଳେ ସକ୍ରିୟ ରଖନ୍ତୁ।



