[In Pics] From Puri’s Royal Gosani Jatra to Modern Pandals: Is Odisha Forgetting Its Native Craftsmen? /ବାହାର କାରିଗରଙ୍କୁ ସୁଯୋଗ, ଆମ କାରିଗର ଦାଦନ: ଏହାହିଁ କ’ଣ ଆମ ପୂଜାର ବାସ୍ତବତା?

ଜଗନ୍ନାଥ ଧାମରୁ ଗୋସାଣୀ ଯାତ୍ରା: କୋଟି କୋଟି ଟଙ୍କାର ପୂଜା ମଝିରେ କେଉଁଠି ହଜିଗଲେ ଓଡ଼ିଶାର ମାଟି କାରିଗର?

ବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଧାମ ଓଡ଼ିଶାରେ ଦୁର୍ଗାପୂଜା ଏକ ଭିନ୍ନ ଓ ନିଆରା ପରମ୍ପରାରେ ପାଳନ କରାଯାଏ। ମାର୍କଣ୍ଡେୟ ପୁରାଣ ଅନୁସାରେ, ଖ୍ରୀଷ୍ଟପୂର୍ବ ୩୦୦ ଶତାବ୍ଦୀରେ ଚେଦି ରାଜବଂଶର ରାଜା ସୁରଥ ଓଡ଼ିଶାରେ ପ୍ରଥମେ ଦୁର୍ଗାପୂଜାର ରୀତିନୀତି ଆରମ୍ଭ କରିଥିଲେ।
Durga puja
An artisan in Bhubaneswar is busy colouring clay idols for the upcoming Durga Puja/Photo By: Sai Saswat.

 

 

ପରବର୍ତ୍ତୀ ସମୟରେ, ୧୧ଶ ଶତାବ୍ଦୀରେ ଗଙ୍ଗ ରାଜବଂଶର ରାଜା ଚୋଡ଼ଗଙ୍ଗ ଦେବ ମହିଷାମର୍ଦ୍ଦିନୀ ଭାବରେ ମା’ ଦୁର୍ଗାଙ୍କ ପ୍ରଥମେ ମୃଣ୍ମୟୀ (ମାଟି) ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ଏହା ଶ୍ରୀଜଗନ୍ନାଥ ଧାମ ପୁରୀରୁ ଆରମ୍ଭ ହୋଇଥିଲା, ଯାହା ଆଜି “ଗୋସାଣୀ ଯାତ୍ରା” ଭାବରେ ବିଶ୍ୱବିଖ୍ୟାତ। ଏଭଳି ସ୍ୱତନ୍ତ୍ର ପରମ୍ପରା ଭାରତରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ମାତ୍ର ସମୟର ପରିବର୍ତ୍ତନ ସାଙ୍ଗକୁ ଏହି ମହାନ ପର୍ବର ପରମ୍ପରା ଏବଂ ଏହାର ପଛରେ ଥିବା କାରିଗରମାନଙ୍କ ଜୀବନଜୀବିକା ଆଜି ଏକ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି।
ଆଜିର ଦୁର୍ଗାପୂଜା ଏବଂ ଏହାର ମୂର୍ତ୍ତି ନିର୍ମାଣ ଶୈଳୀରେ ବଡ଼ଧରଣର ପରିବର୍ତ୍ତନ ଆସିଛି। ଆଗକାଳରେ ମୂର୍ତ୍ତି ତିଆରି ପାଇଁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନ ଏବଂ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଥିଲା, ଯାହା ପରିବେଶ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା। କିନ୍ତୁ ଆଧୁନିକତାର ଅନ୍ଧ ଅନୁକରଣରେ ଏବେ ମୂର୍ତ୍ତିରେ କେମିକାଲ୍ ରଙ୍ଗ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ବହୁମାତ୍ରାରେ ବ୍ୟବହାର ହେଉଛି। ପୂଜା ପରେ ଏହି ମୂର୍ତ୍ତିଗୁଡ଼ିକ ଜଳରେ ବିସର୍ଜନ ହେବା ଫଳରେ ଜଳସ୍ତର ଏବଂ ଜଳଚର ପ୍ରାଣୀମାନଙ୍କୁ ପ୍ରଭାବିତ କରି ଭୟଙ୍କର ପରିବେଶ ପ୍ରଦୂଷଣ ସୃଷ୍ଟି କରୁଛି।
An artisan in Bhubaneswar is busy making clay idols/Photo By: Sai Saswat.

 

 

ପୂଜା ପାଇଁ ଆବଶ୍ୟକୀୟ ଭଲ ମାଟିର ଅଭାବ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି। ଏହାସତ୍ତ୍ବେ, ଓଡ଼ିଶାର ସ୍ଥାନୀୟ ମୂର୍ତ୍ତିଶିଳ୍ପୀ ଏବଂ କାରିଗରମାନଙ୍କୁ ବଡ଼ ବଡ଼ ପୂଜା ମଣ୍ଡପଗୁଡ଼ିକରେ ଉଚିତ୍ ସୁଯୋଗ ଦିଆଯାଉ ନାହିଁ। ବରଂ ବାହାର ରାଜ୍ୟରୁ ଆସୁଥିବା କାରିଗରମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଉଛି। ଫଳରେ, ଆମ ରାଜ୍ୟର ପାରମ୍ପରିକ କାରିଗରମାନେ ନିଜ ଜନ୍ମମାଟିରେ ରୋଜଗାର ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ନିରାଶା ଯୋଗୁଁ ବହୁ ପୁରାତନ କାରିଗର ଏବଂ ସେମାନଙ୍କ ପରିବାର ଏହି ବଂଶାନୁକ୍ରମିକ କାମ ପ୍ରତି ମନ ଛାଡ଼ି ଦେଉଛନ୍ତି।
କେବଳ ମୂର୍ତ୍ତି ନିର୍ମାଣ ନୁହେଁ, ବରଂ ପୂଜା ମଣ୍ଡପଗୁଡ଼ିକୁ ସାଜସଜ୍ଜା କରିବା ପାଇଁ ମଧ୍ୟ ବାହାର ରାଜ୍ୟର ଡେକୋରେଟର୍ସ ଏବଂ କାରିଗରଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶାର ସ୍ଥାନୀୟ ଶ୍ରମିକ ଏବଂ ସାଜସଜ୍ଜା କାରିଗରଙ୍କ ରୋଜଗାର ଉପରେ ପଡ଼ୁଛି।
Baramuna & Nayapali Puja Mandap.

ପ୍ରତିବର୍ଷ ଦୁର୍ଗାପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା ଏବଂ ବିରାଟ ମଣ୍ଡପ ପାଇଁ ମୋଟା ଅଙ୍କର ଅର୍ଥ ବ୍ୟୟ ହେଉଛି। କିନ୍ତୁ ଦୁଃଖର ବିଷୟ, ଯେଉଁ କାରିଗର, ସାଜସଜ୍ଜା କରୁଥିବା ଶ୍ରମିକ ଏବଂ ପଛରେ ରହି କଠିନ ପରିଶ୍ରମ କରୁଥିବା ସ୍ଥାନୀୟ ଲୋକମାନେ ଏହାର ପ୍ରକୃତ ହକଦାର, ସେମାନେ ସେହି ଅନୁପାତରେ କିଛି ଦାନ କିମ୍ବା ରୋଜଗାର ପାଉନାହାନ୍ତି।
ଉଚିତ୍ ପାରଶ୍ରମିକ ଏବଂ କାମର ଅଭାବରୁ ଆଜି ଓଡ଼ିଶାର ଶହ ଶହ ଦକ୍ଷ କାରିଗର ଓ ଶ୍ରମିକ ନିଜ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଚାଲିଯିବାକୁ ବାଧ୍ୟ ହେଉଛନ୍ତି।
An artisan in Bhubaneswar is busy making clay idols for the upcoming Durga Puja/Photo By: Sai Saswat.

 

ଆମର ଏହି ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ହେଲେ ରାଜ୍ୟର ପୂଜା କମିଟିଗୁଡ଼ିକୁ ଆତ୍ମସମୀକ୍ଷା କରିବାକୁ ପଡ଼ିବ। ବାହାର ଲୋକଙ୍କ ବଦଳରେ ଓଡ଼ିଶାର ନିଜସ୍ୱ କାରିଗର, ମୂର୍ତ୍ତିଶିଳ୍ପୀ ଏବଂ ସାଜସଜ୍ଜାକାରୀଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ପଡ଼ିବ। ଏହା ସହିତ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଣିଥରେ ପ୍ରାକୃତିକ ରଙ୍ଗ ଏବଂ ସୁସ୍ଥ ପରମ୍ପରାକୁ ଆପଣାଇବା ଆଜିର ମୁଖ୍ୟ ଆବଶ୍ୟକତା।

PHOTO STORY BY
Sai Saswat Mishra

Leave a Reply

Your email address will not be published. Required fields are marked *