ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ, Gen Z ର ଭବିଷ୍ୟତ ଅନ୍ଧାର: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ
ଭୁବନେଶ୍ୱର (ନ୍ୟୁଜ୍ ଡେସ୍କ): ରାଜ୍ୟର ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କୁ ସୋଜାସୋଜି ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଦଳର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ସେ ସରକାରଙ୍କ ଅପାରଗତା ନେଇ କଡ଼ା ସମାଲୋଚନା କରିଛନ୍ତି।
ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆମ ସରକାର ସମୟରେ ରାଜ୍ୟର ‘ବିକାଶ’ ହିଁ ମୁଖ୍ୟ ଏଜେଣ୍ଡା ଥିଲା। କିନ୍ତୁ ଏହି ଡବଲ ଇଞ୍ଜିନ ସରକାର ଆସିବା ପରଠାରୁ କେବଳ ନିଜ ଦଳର ବିକାଶରେ ମାତିଛନ୍ତି। ଅତ୍ୟାବଶ୍ୟକ ଜିନିଷପତ୍ରର ଦରଦାମ ହୁ ହୁ ହୋଇ ବଢ଼ୁଛି। ଚାଷୀ, ମହିଳା, ବରିଷ୍ଠ ନାଗରିକ, ଗରିବ ଓ ମଧ୍ୟବିତ୍ତ— ସମସ୍ତେ ଆଜି ହଇରାଣ ହେଉଛନ୍ତି। ଏପରିକି ଆମର ଯୁବପିଢ଼ି ବା ‘Gen Z’ ର ଭବିଷ୍ୟତ ବି ଅନ୍ଧାର ଆଡ଼କୁ ଗତି କରୁଛି। ଏତେ ସବୁ ପରେ ବି ସରକାର ନିଦା ବିଷ୍ଣୁ ସାଜି ବସିଛନ୍ତି। ଅପାରଗତାରେ ଏହି ସରକାର ଦେଶରେ ଏକ ନମ୍ବର ବୋଲି ସେ କଟାକ୍ଷ କରିଥିଲେ।
ଲୋକଙ୍କ ପାଖରେ ରହି ଏହି ଅପାରଗ ସରକାରଙ୍କ ପ୍ରକୃତ ମୁଖା ଖୋଲିବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।
ଏହି ବିଶାଳ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ, ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ପ୍ରଦୀପ ସାହୁଙ୍କ ସମେତ ବହୁ ନେତା ଓ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ। ଶେଷରେ ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।



