Floodwaters Bring Crocodile Terror to Bhadrak’s Tihidi; Stray Dog Dragged Away/ତିହିଡ଼ିରେ ବନ୍ୟା ସହ କୁମ୍ଭୀର ଭୟ: ବୁଲା କୁକୁରକୁ ଶିକାର କଲା କୁମ୍ଭୀର…

ବନ୍ୟା ପାଣିରେ କୁମ୍ଭୀର ଆତଙ୍କ: ଭଦ୍ରକ ତିହିଡ଼ିରେ ବୁଲା କୁକୁରକୁ ଟାଣିନେଲା କୁମ୍ଭୀର, ରାସ୍ତା ଉପରେ ଚାଲିଛି ପାଣି
ଭଦ୍ରକ:ରାଜ୍ୟରେ ବନ୍ୟା ପରିସ୍ଥିତି ଜଟିଳ ହେଉଥିବା ବେଳେ ଏବେ ଗାଁ ଗାଁରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତ ଅଞ୍ଚଳରେ ଏକ ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି। ରେବା ନଦୀର ବନ୍ୟା ପାଣିରେ ଏକ କୁମ୍ଭୀର ଚାଲିଆସି ଗୋଟିଏ ବୁଲା କୁକୁରକୁ ଟାଣିନେଇଥିବା ଖବର ମିଳିଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ରେବା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବନ୍ୟା ପାଣି ହାଟନଗର ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି। ଏହି ପାଣି ସ୍ରୋତରେ ନଦୀରୁ ବାହାରି ଆସିଥିବା କୁମ୍ଭୀରଟି ରାସ୍ତା ନିକଟରେ ବୁଲୁଥିବା ବୁଲା କୁକୁରକୁ ଶିକାର କରିବା ପରେ ଉପର ମୁଣ୍ଡକୁ ଭାସିଯାଇଥିଲା। ରାସ୍ତା ନିକଟରେ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଭୟ ଓ ଆତଙ୍କ ଖେଳିଯାଇଛି।
ଉପର ମୁଣ୍ଡରୁ ଲଗାତାର ବନ୍ୟା ପାଣି ଆସୁଥିବାରୁ ଜଳସ୍ତର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବନ୍ୟା ଯୋଗୁଁ ନଦୀର ବୁଲା କୁମ୍ଭୀରଗୁଡ଼ିକ ଲୋକାଳୟ ଓ ଚାଷଜମିକୁ ପଶି ଆସୁଥିବାରୁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହା ଉପରେ ନଜର ରଖିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଲୋକଙ୍କୁ ନଦୀ ଓ ବନ୍ୟା ପାଣି ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି।

Leave a Reply

Your email address will not be published. Required fields are marked *