CM Mohan Charan Majhi Distributes Subhadra Assistance from Lathipada; Announces Sugar Mill & Brutanga Project for Nayagarh/ନୟାଗଡ଼ରୁ ସୁଭଦ୍ରା ଯୋଜନାର ୫ମ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଆକାଉଣ୍ଟକୁ ଗଲା ୫,୧୬୩ କୋଟି ଟଙ୍କା

ନୟାଗଡ଼ରୁ ସୁଭଦ୍ରା ଯୋଜନାର ୫ମ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ୫,୧୬୩ କୋଟି ଟଙ୍କା
ନୟାଗଡ଼/ଭୁବନେଶ୍ୱର:
ରାକ୍ଷୀ ପୂର୍ଣ୍ଣିମାର ଶୁଭ ଅବସରରେ ରାଜ୍ୟର ମା’ ଓ ଭଉଣୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର। ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାରରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି (DBT) ମାଧ୍ୟମରେ ମୋଟ ୫,୧୬୩ କୋଟିରୁ ଅଧିକ ଟଙ୍କା ପଠାଯାଇଛି।
କେବଳ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ମହିଳାଙ୍କ ଆକାଉଣ୍ଟକୁ ୧୧୬ କୋଟି ୮୦ ଲକ୍ଷ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି।
କାର୍ଯ୍ୟକ୍ରମକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରି ମୋତେ ଜଣେ ସଚ୍ଚା ଭାଇର କର୍ତ୍ତବ୍ୟ ପାଳନ କଲା ଭଳି ଅନୁଭବ ହେଉଛି। ସୁଭଦ୍ରା ଯୋଜନା କେବଳ ଟଙ୍କା ବାଣ୍ଟିବାର କାର୍ଯ୍ୟକ୍ରମ ନୁହେଁ, ଏହା ନାରୀ ଶକ୍ତିର ଆତ୍ମସମ୍ମାନ ଓ ସ୍ୱାବଲମ୍ବନର ସଙ୍କେତ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, IIM ସମ୍ବଲପୁର ଓ SBI ର ସର୍ଭେ ଅନୁଯାୟୀ ପ୍ରାୟ ୮୦ ପ୍ରତିଶତ ମହିଳା ଏହି ଟଙ୍କାକୁ କେବଳ ଦୈନନ୍ଦିନ ଖର୍ଚ୍ଚରେ ନଲଗାଇ ନିଜର ବ୍ୟବସାୟ ଓ ଦୀର୍ଘମିଆଦୀ ସୁରକ୍ଷା ପାଇଁ ବ୍ୟବହାର କରୁଛନ୍ତି। ଓଡ଼ିଶା ଆଜି ୨୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରି ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି।
ଏହି ଗସ୍ତ ସମୟରେ ନୟାଗଡ଼ବାସୀଙ୍କୁ ବଡ଼ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଖୁବ୍ ଶୀଘ୍ର ନୟାଗଡ଼ ଚିନି କଳ ପୁନଃପ୍ରତିଷ୍ଠା ହେବ ଏବଂ ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ହଜାର ହଜାର ମହିଳା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *