୨୮ ବର୍ଷ ହେଲା ବଦଳିନି ବ୍ୟାଙ୍କ କର୍ମଚାରୀଙ୍କ ମୂଳ ପେନ୍ସନ୍: ଆର.ବି.ଆଇ. ଢାଞ୍ଚାରେ ସଂଶୋଧନ ପାଇଁ ଦାବୀ
ଭୁବନେଶ୍ୱର:
ବ୍ୟାଙ୍କ କ୍ଷେତ୍ରରେ ୧୯୯୫ ମସିହାରୁ ପେନ୍ସନ୍ ଯୋଜନା ଲାଗୁ ହୋଇଥିଲେ ସୁଦ୍ଧା, ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ବି ଅବସରପ୍ରାପ୍ତ କର୍ମଚାରୀଙ୍କ ମୂଳ ପେନ୍ସନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହି ସମୟ ମଧ୍ୟରେ କାର୍ଯ୍ୟରତ ବ୍ୟାଙ୍କ କର୍ମଚାରୀଙ୍କ ବେତନ ୭ ଥର ସଂଶୋଧିତ ହୋଇସାରିଥିବା ବେଳେ, ପୁରୁଣା ପେନ୍ସନଭୋଗୀମାନେ ମାତ୍ରାଧିକ ତାରତମ୍ୟର ଶିକାର ହେଉଛନ୍ତି।
ନିଖିଳ ଓଡ଼ିଶା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ୪ର୍ଥ ତ୍ରୈବାର୍ଷିକ ସମ୍ମିଳନୀରେ ଏହି ଅସନ୍ତୋଷ ପ୍ରକାଶ ପାଇଛି। ସଂଘର ତଥ୍ୟ ଅନୁଯାୟୀ, ୧୯୯୫ରେ ଅବସର ନେଇଥିବା ଜଣେ କର୍ମଚାରୀଙ୍କୁ ମାସିକ ମୂଳ ପେନ୍ସନ୍ ₹୩,୩୮୨/- ମିଳୁଥିବା ବେଳେ, ୨୦୨୦ରେ ସମାନ ପଦବୀରୁ ଅବସର ନେଇଥିବା କର୍ମଚାରୀ ₹୨୯,୦୧୯/- ପାଉଛନ୍ତି। ଏଭଳି ଅସଙ୍ଗତି ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଢାଞ୍ଚାରେ ପେନ୍ସନ୍ ସଂଶୋଧନ କରିବାକୁ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀମାନେ ଦାବୀ କରିଛନ୍ତି।
ଏହି ସମ୍ମିଳନୀରେ ମୂଳ ପେନ୍ସନ୍ ସଂଶୋଧନ ସହିତ ₹୭ ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟବୀମା ଯୋଗାଇଦେବା, ସ୍ୱାସ୍ଥ୍ୟବୀମା ପ୍ରିମିୟମ୍ରୁ GST ହଟାଇବା ଏବଂ ସଙ୍ଘର ନେତୃବୃନ୍ଦଙ୍କ ସହ ସିଧାସଳଖ ଆଲୋଚନା କରିବା ଭଳି ୭ଟି ମୁଖ୍ୟ ପ୍ରସ୍ତାବ ଗୃହୀତ ହୋଇଛି।
ଏଥିସହିତ, ଆଗାମୀ ୩ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଶ୍ରୀ ବୈକୁଣ୍ଠ ନାଥ ଆଚାର୍ଯ୍ୟ ସଭାପତି, ଶ୍ରୀ ନିରଞ୍ଜନ ମିଶ୍ର ସାଧାରଣ ସଂପାଦକ ଏବଂ ଶ୍ରୀ ସୁଧୀର କୁମାର ଦାସ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।



