Ahead of Hasina’s Announced Return, Bangladesh Tribunal Sentences 7 Awami League Leaders to Death/ଶେଖ ହସିନାଙ୍କ ଫେରିବା ଘୋଷଣା ଭିତରେ ବାଂଲାଦେଶରେ ବଡ଼ ନିଷ୍ପତ୍ତି: ଆୱାମୀ ଲିଗ୍‌ର ୭ ବରିଷ୍ଠ ନେତାଙ୍କୁ ମୃତ୍ୟୁଦଣ୍ଡ

ଶେଖ ହସିନାଙ୍କ ଫେରିବା ଘୋଷଣା ଭିତରେ ବାଂଲାଦେଶରେ ବଡ଼ ନିଷ୍ପତ୍ତି: ଆୱାମୀ ଲିଗ୍‌ର ୭ ବରିଷ୍ଠ ନେତାଙ୍କୁ ମୃତ୍ୟୁଦଣ୍ଡ
ଢାକା:
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶକୁ ଫେରିବା ନେଇ ଘୋଷଣା କରିଥିବା ବେଳେ, ସେପଟେ ଢାକା ସ୍ୱତନ୍ତ୍ର ଟ୍ରିବ୍ୟୁନାଲ (ICT-2) ଏକ ବଡ଼ ଓ ଐତିହାସିକ ରାୟ ଶୁଣାଇଛନ୍ତି। ୨୦୨୪ର ଛାତ୍ର ଆନ୍ଦୋଳନ ସମୟରେ ହିଂସା ଉସକାଇବା, ସାଧାରଣ ନାଗରିକଙ୍କ ଉପରକୁ ଗୁଳିଚାଳନା କରିବା ଏବଂ ମାନବତା ବିରୋଧୀ ଅପରାଧ ମାମଲାରେ ଆୱାମୀ ଲିଗ୍‌ର ୭ ଜଣ ଟପ୍‌ ନେତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି।
ଦଣ୍ଡାଦେଶ ପାଇଥିବା ମୁଖ୍ୟ ନେତା:
ଏହି ମାମଲାରେ ଦଣ୍ଡିତ ହୋଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି—
  • ଆୱାମୀ ଲିଗ୍‌ର ସାଧାରଣ ସମ୍ପାଦକ ଓବାଇଦୁଲ କାଦର
  • ପୂର୍ବତନ ତଥ୍ୟ ପ୍ରତିମନ୍ତ୍ରୀ ମହମ୍ମଦ ଅଲ୍ଲୀ ଆରାଫାତ
  • ଯୁଗ୍ମ ସାଧାରଣ ସମ୍ପାଦକ ଏଏଫଏମ ବାହାଉଦ୍ଦିନ ନାସିମ
  • ଯୁବ ଲିଗ୍‌ ଓ ଛାତ୍ର ଲିଗ୍‌ର କିଛି ପ୍ରମୁଖ କର୍ମକର୍ତ୍ତା।
ଅଦାଲତଙ୍କ ସୂଚନା ଅନୁଯାୟୀ, ଆନ୍ଦୋଳନକୁ ଦବାଇବା ପାଇଁ ଏହି ନେତାମାନେ ପୋଲିସ ଓ ସଶସ୍ତ୍ର କ୍ୟାଡରଙ୍କୁ ଆକ୍ରମଣ କରିବାକୁ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ସମସ୍ତ ନେତା ଦେଶ ଛାଡ଼ି ଫରାର ଥିବାରୁ ଅଦାଲତ ଏହି ରାୟ ସେମାନଙ୍କ ଅନୁପସ୍ଥିତିରେ ଶୁଣାଇଛନ୍ତି। ଦଣ୍ଡାଦେଶ ସହ ଏମାନଙ୍କ ସମ୍ପତ୍ତିର କିଛି ଅଂଶ ବାଜ୍ୟାପ୍ତ କରି ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଆକାରରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରାଜନୈତିକ ସରଗରମ:
ଗତ ୨୦୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମଧ୍ୟ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇସାରିଛନ୍ତି। ହସିନା ଏବେ ଭାରତରେ ଆଶ୍ରୟ ନେଇଥିବା ବେଳେ ଆସନ୍ତା ଡିସେମ୍ବରରେ ଦେଶକୁ ଫେରିବେ ବୋଲି ନିକଟରେ ଘୋଷଣା କରିଥିଲେ। କିନ୍ତୁ ତାଙ୍କ ଫେରିବା ଆଗରୁ ଦଳର ଶୀର୍ଷ ନେତୃବୃନ୍ଦଙ୍କ ବିରୋଧରେ ଆସିଥିବା ଏହି କଠୋର ରାୟ ବାଂଲାଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *