୮୫ କିମି କହି ଦେଲେ ୧୬ କିମି: ଇ-ସ୍କୁଟର କମ୍ପାନୀକୁ ୧.୬୮ ଲକ୍ଷ ଟଙ୍କାର ଫାଇନ୍, ଗ୍ରାହକ ଜିତିଲେ କୋର୍ଟ ଲଢ଼େଇ
ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପୂର୍ବରୁ କମ୍ପାନୀଗୁଡ଼ିକର ବଡ଼ ବଡ଼ ଦାବି ପ୍ରତି ସାବଧାନ! କେରଳର ପାଲକ୍କାଡ୍ ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗୋଟିଏ ଇ-ସ୍କୁଟର କମ୍ପାନୀ ଗ୍ରାହକଙ୍କୁ ଠକି ଶେଷରେ ମହଙ୍ଗା ପଡ଼ିଛି। ଥରେ ଫୁଲ୍ ଚାର୍ଜ କଲେ ୮୫ କିଲୋମିଟର ଚାଲିବ ବୋଲି କହି ବିକ୍ରି କରାଯାଇଥିବା ସ୍କୁଟରଟି ମାତ୍ର ୧୬ କିମି ଚାଲିବାରୁ ଗ୍ରାହକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଗ୍ରହଣ କରି ଗ୍ରାହକ କମିଶନ କମ୍ପାନୀ ଓ ସ୍ଥାନୀୟ ଡିଲରଙ୍କୁ ୧.୬୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ୨୦୨୨ ମସିହାରେ ଜଣେ ବ୍ୟକ୍ତି ୮୮,୦୦୦ ଟଙ୍କା ଦେଇ ଏହି ଇ-ସ୍କୁଟରଟି କିଣିଥିଲେ। ୬ ଘଣ୍ଟା ଚାର୍ଜ କଲେ ୮୫ କିମି ମାଇଲେଜ୍ ମିଳିବ ବୋଲି ଡିଲର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗାଡ଼ି କିଣିବା ଦିନଠାରୁ ହିଁ ମାଇଲେଜ୍ ସମସ୍ୟା ଦେଖାଦେଇଥିଲା। ଗାଡ଼ିଟି ମାତ୍ର ୧୬ରୁ ୨୦ କିମି ଯାଉଥିବା ବେଳେ ବାରମ୍ବାର ସର୍ଭିସିଂ ଏବଂ ବ୍ୟାଟେରୀ ବଦଳାଯିବା ପରେ ବି ସମସ୍ୟା ସୁଧୁରିନଥିଲା। ଏହାଛଡ଼ା ଚାର୍ଜର ଓ ଆଗ ଚକରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ରହିଥିଲା।
ଶେଷରେ ନିରାଶ ହୋଇ ଗ୍ରାହକ ଜଣକ କୋର୍ଟଙ୍କ ଆଶ୍ରୟ ନେଇଥିଲେ। କୋର୍ଟଙ୍କ ଦ୍ୱାରା ନିୟୋଜିତ ବିଶେଷଜ୍ଞ ଟିମ୍ ଯାଞ୍ଚ କରି ଗାଡ଼ିର ବ୍ୟାଟେରୀ ଓ ଆଲାଇନମେଣ୍ଟରେ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି (Manufacturing Defect) ଥିବା ସ୍ପଷ୍ଟ କରିଥିଲେ। ଫଳରେ ଗ୍ରାହକ ଅଦାଲତ ସ୍କୁଟରର ସମ୍ପୂର୍ଣ୍ଣ ମୂଲ୍ୟ ୮୮,୦୦୦ ଟଙ୍କା ଫେରସ୍ତ କରିବା ସହ ମାନସିକ ଯନ୍ତ୍ରଣା ପାଇଁ ୫୫,୦୦୦ ଟଙ୍କା ଏବଂ ମାମଲା ଖର୍ଚ୍ଚ ବାବଦକୁ ୨୫,୦୦୦ ଟଙ୍କା, ସମୋଟ ୧.୬୮ ଲକ୍ଷ ଟଙ୍କା ଦେବାକୁ କମ୍ପାନୀକୁ ଆଦେଶ ଦେଇଛନ୍ତି।



