BCCIର ୧୦୦ ବର୍ଷ ପୂର୍ତ୍ତି: ଭାରତ ଓ World XI ମଧ୍ୟରେ ଖେଳାଯାଇପାରେ ମହାମୁକାବିଲା!
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ନିଜର ୧୦୦ ବର୍ଷ ପୂରଣ କରିବାକୁ ଯାଉଛି। ୧୯୨୮ରେ ଗଠିତ ହୋଇଥିବା ଏହି ବୋର୍ଡ ୨୦୨୮ରେ ନିଜ ଶତାବ୍ଦୀ ବର୍ଷ ପାଳନ କରିବ। ଏହି ସ୍ମରଣୀୟ ଅବସରକୁ ଖାସ୍ କରିବା ପାଇଁ BCCI ଏକ ବଡ଼ ଧରଣର ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରୁଛି, ଯେଉଁଥିରେ ‘ଟିମ୍ ଇଣ୍ଡିଆ’ ସହ ମୁହାଁମୁହିଁ ହେବ ‘World XI’ (ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ଦଳ)।
ମୁମ୍ବାଇରେ ଆୟୋଜିତ ବାର୍ଷିକ ସାଧାରଣ ସଭା (AGM) ପରେ ବୋର୍ଡ ସୂଚନା ଦେଇଛି ଯେ, ଏହି ଉତ୍ସବ କେବଳ ଗୋଟିଏ ଦିନରେ ସୀମିତ ରହିବ ନାହିଁ। ଦେଶର ବିଭିନ୍ନ କ୍ରିକେଟ୍ ସେଣ୍ଟରରେ ଦୀର୍ଘ ଗୋଟିଏ ବର୍ଷ—ଅର୍ଥାତ୍ ଦିସେମ୍ବର ୨୦୨୭ ରୁ ଦିସେମ୍ବର ୨୦୨୮ ପର୍ଯ୍ୟନ୍ତ ଏହି ଶତାବ୍ଦୀ ଉତ୍ସବ ଚାଲିବ।
ଏହି ବର୍ଷବ୍ୟାପୀ ପାଳନର ମୁଖ୍ୟ ଆକର୍ଷଣ ଭାବେ ଇଣ୍ଡିଆ XI ଏବଂ World XI ମଧ୍ୟରେ ଏକ T20 ମ୍ୟାଚ୍ କରାଯିବା ନେଇ ଆଲୋଚନା ଚାଲିଛି। ଯଦି ଏହି ମ୍ୟାଚ୍ ହୁଏ, ତେବେ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଅଫିସିଆଲି କୌଣସି World XI ଦଳ ସହ ମ୍ୟାଚ୍ ଖେଳିବ।
ତେବେ ଏହି ସମଗ୍ର ଯୋଜନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ମ୍ୟାଚ୍ର ତାରିଖ, ସ୍ଥାନ ଏବଂ ଖେଳାଳିଙ୍କ ତାଲିକା ପାଇଁ BCCI ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଯାଉଛି। ବ୍ୟସ୍ତବହୁଳ କ୍ରିକେଟ୍ କ୍ୟାଲେଣ୍ଡର ମଧ୍ୟରୁ ସମୟ ବାହାର କରି ଏହି ଗ୍ରାଣ୍ଡ୍ ମ୍ୟାଚ୍କୁ ସଫଳ କରିବା ବୋର୍ଡ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।

