80 Indian Employees Fired in a 5-Minute Call by US Firm/୫ ମିନିଟର କଲ୍‌ରେ ଗଲା ୮୦ ଭାରତୀୟଙ୍କ ଚାକିରି: ଆମେରିକୀୟ କମ୍ପାନୀର ବଡ଼ ନିଷ୍ପତ୍ତି..

ମାତ୍ର ୫ ମିନିଟର କଲ୍‌ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ କାଢ଼ିଲା ଆମେରିକୀୟ କମ୍ପାନୀ
ଆମେରିକାର ଏକ ଫିନଟେକ୍ କମ୍ପାନୀ ‘ବ୍ଲୁଭାଇନ୍’ (Bluevine) ନିଜର ଭାରତୀୟ କଷ୍ଟମର୍ ସପୋର୍ଟ ଟିମ୍‌ର ସମସ୍ତ ୮୦ ଜଣ କର୍ମଚାରୀଙ୍କୁ ଗୋଟିଏ ଝଟକାରେ ଚାକିରିରୁ ବାହାର କରିଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମାତ୍ର ୫ ମିନିଟର ଗୁଗୁଲ୍ ମିଟ୍ (Google Meet) କଲ୍‌ରେ ଶେଷ ହୋଇଯାଇଥିଲା।
ଜଣେ ପ୍ରଭାବିତ କର୍ମଚାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍ (Reddit) ରେ ଏହି ଦୁଃଖଦ ଅନୁଭବ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ଲେଖା ଅନୁସାରେ, ସେହିଦିନ ସମସ୍ତ କର୍ମଚାରୀଙ୍କୁ “ଅପରେସନାଲ୍ କାରଣ” ଦର୍ଶାଇ ଘରୁ କାମ (Work From Home) କରିବାକୁ କୁହାଯାଇଥିଲା। ସନ୍ଧ୍ୟା ୬:୩୦ ର ଶିଫ୍ଟ ଆରମ୍ଭ ହେବାର ପ୍ରାୟ ୩ ଘଣ୍ଟା ପରେ, ଅର୍ଥାତ୍ ରାତି ୯:୩୦ ରେ ହଠାତ୍ ଏକ ଜରୁରୀ ମିଟିଂ ଆହୂତ ହୋଇଥିଲା। ମିଟିଂ ଆରମ୍ଭ ହେଉ ହେଉ କମ୍ପାନୀ ମ୍ୟାନେଜମେଣ୍ଟ ଘୋଷଣା କରିଥିଲା ଯେ ଭାରତୀୟ ଟିମ୍‌ର ସମସ୍ତଙ୍କୁ ଚାକିରିରୁ ବିଦା କରାଯାଉଛି।
କମ୍ପାନୀ ପକ୍ଷରୁ ଭାରତୀୟ ଟିମ୍‌ର ପରଫରମାନ୍ସ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିବା କୁହାଯାଉଛି। ତେବେ କର୍ମଚାରୀଜଣକ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସେମାନେ ସବୁବେଳେ ଭଲ କାମ କରିବାକୁ ଚେଷ୍ଟା କରୁଥିଲେ। ସେଭରୋନ୍ସ ପ୍ୟାକେଜ୍ (Severance Pay) ବାବଦରେ ନୂଆ କର୍ମଚାରୀଙ୍କୁ କିଛି ମିଳିନଥିବା ବେଳେ, ବର୍ଷକରୁ ଅଧିକ ସମୟ କାମ କରିଥିବା ଲୋକଙ୍କୁ ପ୍ରତି ବର୍ଷ ପାଇଁ ୧୫ ଦିନର ଦରମା ଦିଆଯାଇଥିବା କୁହାଯାଉଛି।
କୌଣସି ପୂର୍ବ ସୂଚନା ନଦେଇ ମାତ୍ର ୫ ମିନିଟ୍ ଭିତରେ ୮୦ଟି ପରିବାରର ଜୀବିକା ଛଡ଼ାଇ ନେବାର ଏହି କଠୋର ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଏବେ ତୀବ୍ର ସମାଲୋଚନା ଚାଲିଛି। କର୍ପୋରେଟ୍ ଜଗତରେ ‘ଆଉଟସୋର୍ସଡ୍’ (Outsourced) ଚାକିରି କେତେ ଅସୁରକ୍ଷିତ, ଏହି ଘଟଣା ତାହାର ଏକ ବଡ଼ ଉଦାହରଣ ପାଲଟିଛି।

Leave a Reply

Your email address will not be published. Required fields are marked *