ଆମେରିକାର ନୂଆ ନିୟମ: ଭାରତ ଉପରେ ଟ୍ୟାରିଫ୍ କଟକଣା, କିନ୍ତୁ ନିଜ ପାଇଁ ରୁଷ୍ରୁ ୟୁରେନିୟମ୍ ଆଣିବା ଜାରି ରଖିବ
ଆମେରିକା ସଂସଦରେ ନିକଟରେ ଏକ ନୂଆ ମଞ୍ଜୁରୀ ବିଲ୍ (Lindsey O. Graham Sanctioning Russia and Iran Act of 2026) ପାରିତ ହୋଇଛି। ଏହି ବିଲ୍ ଅନୁଯାୟୀ, ରୁଷ୍ଠାରୁ ପ୍ରଚୁର ପରିମାଣରେ ଅଶୋଧିତ ତେଲ କିଣୁଥିବା ଭାରତ ଓ ଚୀନ୍ ଭଳି ଦେଶଗୁଡ଼ିକ ଉପରେ ଆମେରିକା ୧୦୦ ପ୍ରତିଶତ ପର୍ଯ୍ୟନ୍ତ କଡ଼ା ଟ୍ୟାରିଫ୍ (ସୁଳ୍କ) ଲଗାଇପାରିବ।
ତେବେ ଏହି ସବୁ ନିୟମ ଭିତରେ ଆମେରିକାର ଏକ ବଡ଼ ଦ୍ୱନ୍ଦ୍ୱପୂର୍ଣ୍ଣ ନୀତି ସାମ୍ନାକୁ ଆସିଛି। ଗୋଟିଏ ପଟେ ରୁଷ୍ର ଆର୍ଥିକ ଶକ୍ତିକୁ ଦୁର୍ବଳ କରିବା ପାଇଁ ଭାରତ ଭଳି ମିତ୍ର ଦେଶଗୁଡ଼ିକ ଉପରେ ଚାପ ପକାଯାଉଥିବା ବେଳେ, ଅନ୍ୟପଟେ ଆମେରିକା ନିଜର ଶକ୍ତି (Energy) ଆବଶ୍ୟକତା ପୂରଣ ପାଇଁ ବିଲ୍ରେ ଏକ ସ୍ୱତନ୍ତ୍ର ନିୟମ ରଖିଛି। ଏହି ନିୟମ ବଳରେ ଆମେରିକା ନିଜ ପରମାଣୁ ରିଆକ୍ଟର ପାଇଁ ରୁଷ୍ରୁ ୟୁରେନିୟମ୍ କିଣିବା ଜାରି ରଖିପାରିବ।
ଆମେରିକାର ପରମାଣୁ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ପ୍ରଚୁର ପରିମାଣରେ ରୁଷୀୟ ୟୁରେନିୟମ୍ ଉପରେ ନିର୍ଭର କରନ୍ତି, ଯାହାକୁ ତୁରନ୍ତ ବନ୍ଦ କରିବା ଆମେରିକା ପାଇଁ ସମ୍ଭବ ନୁହେଁ। ଏହି କାରଣରୁ ନିଜ ସ୍ୱାର୍ଥ ପାଇଁ ରୁଷ୍ର ୟୁରେନିୟମ୍କୁ କଟକଣାରୁ ମୁକ୍ତ ରଖାଯାଇଛି।
ଅନ୍ୟପଟେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛି। ଭାରତ ସ୍ପଷ୍ଟ କରିଛି ଯେ, ନିଜର ୧୪୦ କୋଟି ଜନସାଧାରଣଙ୍କ ଶକ୍ତି ସୁରକ୍ଷା ପାଇଁ ଯେଉଁଠାରୁ ସସ୍ତା ଏବଂ ସୁବିଧାରେ ତେଲ ମିଳିବ, ସେଠାରୁ ହିଁ ଆମଦାନୀ କରାଯିବ।
ଆମେରିକାର ଏହି ‘ଦୁଇଟି ଭିନ୍ନ ନୀତି’କୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ନିଜ ପାଇଁ ରୁଷୀୟ ୟୁରେନିୟମ୍ ଖୋଲା ରଖି ଅନ୍ୟ ଦେଶଗୁଡ଼ିକୁ ତେଲ କିଣିବାରୁ ରୋକିବା ଆମେରିକାର କୂଟନୈତିକ ସ୍ୱାର୍ଥପରତାକୁ ସ୍ପଷ୍ଟ କରୁଛି।

