ଗଣେଶ ବିସର୍ଜନ ପରେ ନଦୀର କରୁଣ ସ୍ଥିତି, କେବେ ବଦଳିବ ଆମ ମାନସିକତା?
ଭୁବନେଶ୍ୱର:ଗଣେଶ ପୂଜାର ଆନନ୍ଦ ଓ ଆଡ଼ମ୍ବର ପରେ ଏବେ ଧାଡ଼ି ବାନ୍ଧିଛି ପାର୍ବଣ ଋତୁ। ଆଗକୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ଭଳି ବଡ଼ ବଡ଼ ଉତ୍ସବ ଆସୁଛି। ସହରସାରା ଶ୍ରଦ୍ଧା ଓ ଭକ୍ତିର ମାହୋଲ ଖେଳିଯାଇଛି। କିନ୍ତୁ ଏହି ଆନନ୍ଦ ସହିତ ଆରମ୍ଭ ହୋଇଯାଇଛି ପ୍ରକୃତି ପ୍ରଦୂଷଣର ଆଉ ଏକ କାହାଣୀ। ଯେଉଁ ସୃଷ୍ଟିକର୍ତ୍ତାଙ୍କୁ ଆମେ ପୂଜା କରୁଛୁ, ସେହି ସୃଷ୍ଟିର ଅମୂଲ୍ୟ ସମ୍ପଦ ନଦୀ ଓ ପରିବେଶକୁ ବିଷାକ୍ତ କରିବାକୁ ଆମେ ଟିକିଏ ହେଲେ ବି କୁଣ୍ଠାବୋଧ କରୁନାହୁଁ।
ଭୁବନେଶ୍ୱରରେ ଗଣେଶ ପୂଜା ଶେଷ ହେବା ପରେ ବିସର୍ଜନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଅଧିକାଂଶ ମୂର୍ତ୍ତି ବିସର୍ଜନ ପାଇଁ ଲୋକେ କୁଆଖାଇ, ଦୟା ଓ ଭାର୍ଗବୀ ନଦୀର ସାହାରା ନେଉଛନ୍ତି। କେବଳ ମାଟିର ମୂର୍ତ୍ତି ନୁହେଁ, ମୂର୍ତ୍ତି ସହ ରଙ୍ଗବେରଙ୍ଗର ପ୍ଲାଷ୍ଟିକ୍ ଫୁଲ, ଜେରୀ, ପଲିଥିନ୍, ସଜାସଜି ସାମଗ୍ରୀ ଓ ରାସାୟନିକ ରଙ୍ଗ ନଦୀ ଗର୍ଭକୁ ନିକ୍ଷେପ କରାଯାଉଛି। ଏହା ଦ୍ୱାରା ନଦୀର ଜଳ ସମ୍ପୂର୍ଣ୍ଣ ଦୂଷିତ ହେଉଛି। ନଦୀର ଜଳ ନିଜେ ଭଗବାନଙ୍କ ସୃଷ୍ଟି, କିନ୍ତୁ ଆମେ ଜାଣିଶୁଣି ଏହି ସୃଷ୍ଟିକୁ ବିନାଶ ଆଡ଼କୁ ନେଇଯାଉଛୁ।
ବୃଥା ହେଉଛି କୃତ୍ରିମ ପୋଖରୀ:
ନଦୀ ଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ତରଫରୁ କୁଆଖାଇ, ଦୟା ଓ ଟଙ୍କପାଣି ନିକଟରେ କୃତ୍ରିମ କୁଣ୍ଡ (Artificial Ponds) ର ବ୍ୟବସ୍ଥା କରାଯାଉଛି। କିନ୍ତୁ ଦୁଃଖର ବିଷୟ, ସଚେତନତା ଅଭାବରୁ ଅଧିକାଂଶ ଲୋକ ବ୍ରିଜ୍ କିମ୍ବା ନଦୀ ବନ୍ଧ ଉପରୁ ସିଧାସଳଖ ନଦୀକୁ ମୂର୍ତ୍ତି ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଫିଙ୍ଗି ଦେଉଛନ୍ତି।
ପୋଲିସ୍ ଓ BMC ର ଦାୟିତ୍ୱ ଆଉ ଟିକିଏ କଡ଼ା ହେବା ଦରକାର:
କେବଳ ନିୟମ କାଗଜପତ୍ରରେ ରହିଲେ ଏହି ସମସ୍ୟାର ସମାଧାନ ହେବନାହିଁ। ଏଥିପାଇଁ ପ୍ରଶାସନିକ ସ୍ତରରେ ଆଉ ଟିକିଏ ଅଧିକ ସକ୍ରିୟତା ଓ ଦାୟିତ୍ୱବୋଧତାର ଆବଶ୍ୟକତା ରହିଛି. ନଦୀ ପୋଲ, ବନ୍ଧ ଓ ମୁଖ୍ୟ ବିସର୍ଜନ ସ୍ଥଳଗୁଡ଼ିକରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବଳ ମୋତାୟନ ହେବା ଆବଶ୍ୟକ। ଯେପରି କେହି ନଦୀ ଗର୍ଭକୁ ସିଧାସଳଖ ମୂର୍ତ୍ତି କିମ୍ବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ନ ଫିଙ୍ଗିପାରିବେ। ନିୟମ ଉଲ୍ଲଂଘନ କରି ନଦୀକୁ ଦୂଷିତ କରୁଥିବା ପୂଜା କମିଟି କିମ୍ବା ସାଧାରଣ ଲୋକଙ୍କ ଉପରେ କଡ଼ା ଜରିମାନା ଲଗାଯିବା ଦରକାର।
BMC ର ସଚେତନତା ଓ ମାର୍ଗଦର୍ଶନ: କୃତ୍ରିମ କୁଣ୍ଡ ନିକଟରେ BMC ର ସ୍ୱେଚ୍ଛାସେବୀ ଓ କର୍ମଚାରୀ ସବୁବେଳେ ଉପସ୍ଥିତ ରହି ଲୋକଙ୍କୁ ସଠିକ୍ ଦିଗଦର୍ଶନ ଦେବା ଉଚିତ୍। ଏହାସହ ନିର୍ମାଲ୍ୟ (ପୂଜା ସାମଗ୍ରୀ) ସଂଗ୍ରହ ପାଇଁ ଅଲଗା ଗାଡ଼ିର ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯିବା ଆବଶ୍ୟକ।
ସରକାର ଓ ପୋଲିସ୍ ଯେତେ ନିୟମ କଲେ ବି ଯେପର୍ଯ୍ୟନ୍ତ ଆମେ ନିଜେ ସଚେତନ ନ ହୋଇଛୁ, ସେପର୍ଯ୍ୟନ୍ତ ନଦୀ ସୁରକ୍ଷିତ ରହିପାରିବ ନାହିଁ। ଆମେ ମାନିବାକୁ ହେବ ଯେ ପ୍ରକୃତି ହିଁ ପ୍ରକୃତ ଈଶ୍ୱର। ମାଟିର ଗଣେଶଙ୍କୁ ପୂଜା କରି ଜଳସମ୍ପଦକୁ ବିଷାକ୍ତ କରିବା କେବେ ବି ସଚ୍ଚା ଭକ୍ତି ହୋଇନପାରେ। ଆସନ୍ତା ପାର୍ବଣରେ ପ୍ଲାଷ୍ଟିକ୍ ବର୍ଜନ କରିବା ସହ କେବଳ କୃତ୍ରିମ କୁଣ୍ଡରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ଶପଥ ନେବା।














