Bin Laden Targeted India Years Before 9/11, Reveals Declassified CIA Report/ଭାରତ ଥିଲା ଲାଦେନର ହିଟ୍ ଲିଷ୍ଟରେ: CIA ଦସ୍ତାବିଜରୁ ବଡ଼ ଖୁଲାସା

୯/୧୧ ଆକ୍ରମଣ ପୂର୍ବରୁ ଭାରତ ଉପରେ ଥିଲା ଆଲକାଏଦାର ନଜର: ସାମ୍ନାକୁ ଆସିଲା CIAର ଗୋପନୀୟ ତଥ୍ୟ
ଆମେରିକାରେ ହୋଇଥିବା ଭୟଙ୍କର ୯/୧୧ ଆକ୍ରମଣର ବହୁ ବର୍ଷ ପୂର୍ବରୁ ଆତଙ୍କବାଦୀ ସଂଗଠନ ଆଲକାଏଦା ମୁଖିଆ ଓସାମା ବିନ୍ ଲାଦେନ୍ ଭାରତ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲା। ଆମେରିକାର ଗୁପ୍ତଚର ସଂସ୍ଥା CIA ଦ୍ୱାରା ନିକଟରେ ସାର୍ବଜନୀନ କରାଯାଇଥିବା କିଛି ଅତି ଗୋପନୀୟ ଦସ୍ତାବିଜରୁ ଏହି ବଡ଼ ସୂଚନା ସାମ୍ନାକୁ ଆସିଛି।
୧୯୯୮ରୁ ଭାରତ ଥିଲା ହିଟ୍ ଲିଷ୍ଟରେ
CIA ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ୨୮ ଅଗଷ୍ଟ ୧୯୯୮ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କୁ ଏକ ଗୁପ୍ତ ରିପୋର୍ଟ ଦିଆଯାଇଥିଲା। ଏହି ରିପୋର୍ଟରେ ବିନ୍ ଲାଦେନର ଆତଙ୍କୀ ନେଟୱାର୍କ ସମ୍ପର୍କରେ ୱାର୍ଣ୍ଣିଂ ଦିଆଯିବା ସହ ସେ ଭାରତ, ପାକିସ୍ତାନ, ଇଜିପ୍ଟ, କୁଏତ, ସାଉଦି ଆରବ, ୟୁଗାଣ୍ଡା ଏବଂ ନାଇଜେରିଆ ଭଳି ଦେଶଗୁଡ଼ିକରେ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଥିବା ସ୍ପଷ୍ଟ କରାଯାଇଥିଲା।
୬୦ରୁ ଅଧିକ ଦେଶରେ ଥିଲା ନେଟୱାର୍କ
ରିପୋର୍ଟରୁ ଜଣାପଡ଼ିଛି ଯେ, ୧୯୯୮ରେ ଆଫଗାନିସ୍ତାନରେ ହୋଇଥିବା ଆମେରିକୀୟ ଏୟାରଷ୍ଟ୍ରାଇକ୍‌ରୁ ଲାଦେନ୍ ବଞ୍ଚିଯାଇଥିଲା ଏବଂ ସେତେବେଳେ ସାରା ବିଶ୍ୱର ପ୍ରାୟ ୬୦ଟି ଦେଶରେ ତା’ର ନେଟୱାର୍କ ସକ୍ରିୟ ଥିଲା। ତେବେ ଏହି ରିପୋର୍ଟରେ ଭାରତର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ କିମ୍ବା କେଉଁ ତାରିଖରେ ଆକ୍ରମଣ ହେବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିଲା।
୯/୧୧ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ CIA ଏହିଭଳି ୭୦ରୁ ଅଧିକ ପୁରୁଣା ଦସ୍ତାବିଜକୁ ସାର୍ବଜନୀନ କରିଛି, ଯାହା ଦର୍ଶାଉଛି ଯେ ଆମେରିକା ଆକ୍ରମଣ ପୂର୍ବରୁ ହିଁ ଲାଦେନର ନଜର ଦକ୍ଷିଣ ଏସିଆ ଓ ବିଶେଷ କରି ଭାରତ ଉପରେ ରହିଥିଲା।

Leave a Reply

Your email address will not be published. Required fields are marked *