ୟୁଏଇରେ ଓଡ଼ିଶା ନିବେଶକ ସମ୍ମିଳନୀ: ପ୍ରଥମ ଦିନରେ ନିବେଶ ଓ ବ୍ୟବସାୟିକ ସହଭାଗିତା ଉପରେ ଗୁରୁତ୍ବ
ଦୁବାଇ:ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ପ୍ରଥମ ଦିନରେ ବ୍ୟବସାୟ, ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଓଡ଼ିଶା ପ୍ରତିନିଧିମଣ୍ଡଳୀ ୟୁଏଇର ପ୍ରମୁଖ ଶିଳ୍ପପତି ଓ ନିବେଶକମାନଙ୍କ ସହ ଆଲୋଚନା କରିଛନ୍ତି।
ଏହି ଅଭିଯାନ ଅଧୀନରେ ‘ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC)’ର ବ୍ୟବସାୟିକ ୟୁନିଟ୍ଗୁଡ଼ିକ ସହ ରାଉଣ୍ଡଟେବୁଲ୍ ଆଲୋଚନା କରାଯାଇ ଓଡ଼ିଶାରେ ଶିଳ୍ପ ସହଭାଗିତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ଆବୁଧାବିସ୍ଥିତ ‘ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG)’ ଏବଂ ପ୍ରମୁଖ ନିବେଶକାରୀ ସଂସ୍ଥାଗୁଡ଼ିକ ସହ ବୈଠକ କରି ଓଡ଼ିଶାର ଶିଳ୍ପ କ୍ଷମତା ଓ ଉଦୀୟମାନ ନିବେଶ ସୁଯୋଗ ବାବଦରେ ଅବଗତ କରାଯାଇଛି।
ବିଶେଷକରି ପେଟ୍ରୋକେମିକାଲ୍ କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଁ ବୋରୋଜ୍ର CEO ଶ୍ରୀ ହାଜିମ୍ ସୁଲତାନ୍ ଅଲ୍ ସୁୱାଇଦିଙ୍କ ସହ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି।
ଅନ୍ୟପଟେ, ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଦୁବାଇରେ ‘ଏକ ଜିଲ୍ଲା, ଏକ ଉତ୍ପାଦ’ (ODOP) ପ୍ରଦର୍ଶନୀର ଉଦ୍ଘାଟନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମଣ୍ଡଳୀ ଦୁବାଇସ୍ଥିତ ଭାରତୀୟ କନସୁଲ୍ ଜେନେରାଲ୍ଙ୍କ ସହ ସାକ୍ଷାତ କରି ଓଡ଼ିଶା-ୟୁଏଇ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଛନ୍ତି।

