ଗୋବର୍ଦ୍ଧନ ପୀଠ ନିକଟରେ ମଦ ଦୋକାନକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟାଳୟ
ପୁରୀ: ପୁରୀର ପବିତ୍ର ଗୋବର୍ଦ୍ଧନ ପୀଠ ନିକଟରେ ଏକ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ତୀବ୍ର ବିରୋଧ। ଶ୍ରୀମଦ୍ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ଗୌଡ଼ବାଡ଼ ସାହିର ବାସିନ୍ଦା ଏହାକୁ କଡ଼ା ଭାବେ ବିରୋଧ କରିଛନ୍ତି। ଧାର୍ମିକ ପବିତ୍ରତା, ଶାନ୍ତିଶୃଙ୍ଖଳା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଦ ଦୋକାନ ପାଇଁ ଦିଆଯାଇଥିବା ଅନୁମତିକୁ ତୁରନ୍ତ ରଦ୍ଦ କରିବାକୁ ଦାବି ହୋଇଛି।
ଗୋବର୍ଦ୍ଧନ ପୀଠ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଚିଠିରେ ଦର୍ଶାଯାଇଛି ଯେ, ପ୍ରସ୍ତାବିତ ମଦ ଦୋକାନଟି ଗୋବର୍ଦ୍ଧନ ପୀଠ, ସ୍ଥାନୀୟ ଅନ୍ୟାନ୍ୟ ମଠ, ମନ୍ଦିର, ସ୍କୁଲ ଓ ସାଧାରଣ ବସବାସ କରୁଥିବା ଅଞ୍ଚଳଠାରୁ ମାତ୍ର ୩୦ ରୁ ୫୦ ମିଟର ଦୂରତାରେ ରହିଛି।
ଏହାସହ ଓଡ଼ିଶା ଅବକାରୀ ନିୟମ, ୨୦୧୭ର ‘ରୁଲ-୨୬’ ଅନୁସାରେ ଧାର୍ମିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ ଖୋଲିବା ଆଇନଗତ ଭାବେ ନିଷେଧ। ପୁରୀ ଭଳି ଏକ ପବିତ୍ର ଧାମର ଆଧ୍ୟାତ୍ମିକ ପରିବେଶକୁ ବଜାୟ ରଖିବା ସହ ମହିଳା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତିକୁ ତୁରନ୍ତ ବଦଳାଇବାକୁ ଦାବି କରାଯାଇଛି। ଅନ୍ୟପଟେ, ଏହି ଅଭିଯୋଗକୁ ନେଇ ଜିଲ୍ଲା ପ୍ରଶାସନ ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।

