336 New Sub-Inspectors Join Odisha Police; CM Mohan Majhi Emphasizes ‘SMART Policing’ at Pass-out Parade/ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ୧୩ତମ ଦୀକ୍ଷାନ୍ତ ସମାରୋହ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।
ଦୁଇ ବର୍ଷର କଠୋର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ସଫଳତାର ସହ ଶେଷ କରିଥିବା ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର ଆଜି ଓଡ଼ିଶା ପୋଲିସ ସେବାରେ ସାମିଲ ହୋଇଛନ୍ତି। ବିଶେଷ କରି ଏହି ବ୍ୟାଚ୍‌ରେ ୭୦ ଜଣ ମହିଳା ଅଧିକାରୀ ରହିଥିବାରୁ, ଏହା ରାଜ୍ୟରେ ନାରୀ ସଶକ୍ତିକରଣର ଏକ ଉଜ୍ଜ୍ୱଳ ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୋଲିସ ବର୍ଦ୍ଦି କେବଳ ଏକ ୟୁନିଫର୍ମ ନୁହେଁ, ଏହା ସମାଜ ସେବା ଓ ନିରୀହ ଲୋକଙ୍କୁ ସୁରକ୍ଷା ଦେବାର ଗୁରୁଦାୟିତ୍ୱ। ନବନିଯୁକ୍ତ ଅଧିକାରୀମାନଙ୍କୁ ‘SMART POLICING’ ନୀତି ଆପଣାଇବା ସହ ତିନୋଟି ମୁଖ୍ୟ ଉପଦେଶ ଦେଇଛନ୍ତି— ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା, ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖିବା ଏବଂ କ୍ଷମତାର ଅପବ୍ୟବହାର ନକରି ଅପରାଧୀଙ୍କ ପ୍ରତି କଠୋର ଓ ନିର୍ଦ୍ଦୋଷଙ୍କୁ ସୁରକ୍ଷା ଦେବା।
ଏହା ସହିତ ୨୦୨୯ ସୁଦ୍ଧା ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି କରାଯାଇ ୫,୮୧୭ଟି ପଦବୀ ପୂରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଏହି ସମାରୋହରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କ୍ୟାଡେଟ୍‌ମାନଙ୍କୁ ସମ୍ମାନିତ କରାଯାଇଥିଲା। ସର୍ବାଧିକ ନମ୍ବର ରଖିଥିବା ପି. ନଳିନୀ ରାଓଙ୍କୁ ରାଜ୍ୟପାଳଙ୍କ ପଦକ, ଟ୍ରଫି ଓ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର ଦିଆଯାଇଛି। ଏହା ସହ ତେଜସ୍ୱିନୀ ମହନ୍ତରାୟ, ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ କୁମାର ମହନ୍ତ, ସସ୍ମିତା ଖୁଣ୍ଟିଆ, ନିହାରିକା ତ୍ରିପାଠୀ ଓ ଆଶୁତୋଷ ନାୟକଙ୍କୁ ମଧ୍ୟ ଉତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି।
କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଓ ଏକାଡେମୀ ନିର୍ଦ୍ଦେଶକ ଶ୍ରୀ ଅନୁପ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ନବନିଯୁକ୍ତ କ୍ୟାଡେଟ୍‌ମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *